ଅକ୍ସିଜେନ୍ ଅଭାବରୁ ପୁଣି ୨୦ ମୃତ

ନୂଆଦିଲ୍ଲୀ: ଗତରାତିରେ ଦିଲ୍ଳୀରେ ରୋହିଣୀ ଅଞ୍ଚଳରେ ଥିବା ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୦ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି । ସୂଚନାଯୋଗ୍ୟ ଯେ, ଜୀବନ ରକ୍ଷାକାରୀ ଅମ୍ଲଜାନ ଅଭାବରୁ ଗତ ୩ଦିନ ମଧ୍ୟରେ ୭୦ଜଣ ଆକ୍ରାନ୍ତଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିଲା ବେଳେ ବହୁ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଜୟପୁର ଗୋଲ୍ଡେନ୍ ହସ୍ପିଟାଲର ମେଡିକାଲ୍ ଡାଇରେକ୍ଟର ଡାକ୍ତର ଡି.କେ. ବାଲୁଜା ଗଣମାଧ୍ୟମକୁ କହିଛନ୍ତି, କ୍ରିଟିକାଲ୍ କେୟାର ୟୁନିଟ୍ରେ ହାଇ ଫ୍ଲୋ ଅକ୍ସିଜେନ୍ରେ ଥିବା ୨୦ ଜଣ ରୋଗୀଙ୍କୁ ଆମେ ହରାଇଛୁ । ରାତି ୧୦ ସୁନ୍ଧା ଆମର ତରଳ ଅମ୍ଳଜାନ (ଅକ୍ସିଜେନ୍) ଶେଷ ହୋଇଯିବା ପରେ ଆମେ ଅକ୍ସିଜେନ୍ ସିଲିଣ୍ଡର ଲଗାଇଲୁ । ସେଥିରେ ଚାପ ହ୍ରାସ ପାଇବାରୁ ରୋଗୀମାନଙ୍କୁ ବଞ୍ଚାଇବା ସମ୍ଭବପର ହେଲା ନାହିଁ । ସରକାର ଆମ ପାଇଁ ୩.୫ ମେଟି୍ରକ୍ ଟନ୍ ଅକ୍ସିଜେନ୍ ଆବଂଟନ କରିଥିଲେ । ସନ୍ଧ୍ୟା ୫ଟା ସୁଦ୍ଧା ତାହା ଆମ ପାଖରେ ପହଞ୍ଚିବାରେ ଥିଲା, କିନ୍ତୁ ପହଞ୍ଚିଲା ଆସି ରାତି ଅଧରେ । ସେତେବେଳକୁ ୨୦ ରୋଗୀଙ୍କର ମୃତ୍ୟୁ ଘଟିସାରିଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତରଖାନାରେ ଭର୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଅନୂ୍ୟନ ୨୧୫ ଜଣ କୋଭିଡ୍ ରୋଗୀଙ୍କ ଅବସ୍ଥା ଜଟିଳ ଥିବାରୁ ସେମାନଙ୍କ ପାଇଁ ଅମ୍ଲଜାନ (ଅକ୍ସିଜେନ୍) ଅପରିହାର୍ଯ୍ୟ ।
ଅକ୍ସିଜେନ୍ ନିଅଂଟ ପାଇଁ ଆଜି ସକାଳେ ‘ଏସ୍ଓଏସ୍’ ପଠାଇବାରେ ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ ହେଉଛି ସହରର ଦ୍ୱିତୀୟ ହସ୍ପିଟାଲ । ପୂର୍ବରୁ ‘ମୁଲଚାନ୍ଦ୍’ ଶୃଙ୍ଖଳ ହସ୍ପିଟାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ଉପରାଜ୍ୟପାଳ ଅନୀଲ ବୈଜାଲ୍ଙ୍କୁ ଟୁଇଟ୍ କରି ଅକ୍ସିଜେନ୍ ପାଇଁ ଅନୁରୋଧ କରିଥିଲା । ସେଠାରେ ୧୩୦ ଜଣ ରୋଗୀ ଲାଇଫ୍ ସପୋର୍ଟ’ରେ ଅଛନ୍ତି ।

Comments (0)
Add Comment