ଅଗଷ୍ଟ ୨ରୁ ଉଚ୍ଚନ୍ୟାୟାଳୟରେ ହାଇବ୍ରିଡ ମୋଡ୍‌ରେ ଶୁଣାଣି

କଟକ: ଅଗଷ୍ଟ ୨ ତାରିଖରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍‌ରେ ମାମଲା ଶୁଣାଣି ହେବ । ଉଭୟ ଭର୍ଚୁଆଲ୍ (ଆଭାସି) ଓ ବ୍ୟକ୍ତିଗତ ଉପସ୍ଥିତି ରହି (ଫିଜିକାଲ) ବ୍ୟବସ୍ଥାରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏ ନେଇ ଉଚ୍ଚନ୍ୟାୟାଳୟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୧, ଫେବୃଆରୀ ୧୧ରେ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର (ଏସ୍‌ଓପି) ପାଳନ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଏହି ଏସଓପି ଅନୁସାରେ ଆଇନଜୀବୀ ଓ ପକ୍ଷମାନେ ବ୍ୟକ୍ତିଗତ ଭାବେ ବା ଭିଡିଓକନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ ସେ ନେଇ ସେମାନଙ୍କ ନିକଟରେ ବିକଳ୍ପ ବ୍ୟବସ୍ଥା ରହିବ । ପକ୍ଷ ଓ ଆଇନଜୀବୀ ଦେଇଥିବା ବିକଳ୍ପ ଉପରେ କେଉଁ ବ୍ୟବସ୍ଥାରେ ମାମଲା ଶୁଣାଣି ହେବ ତାହା ନିର୍ଦ୍ଧାରଣ କରାଯିବ । ଯଦି କିଛି ବିକଳ୍ପ ଦିଆଯାଇ ନଥିବ ତେବେ ଆଇନଜୀବୀ/ପକ୍ଷ ଭର୍ଚୁଆଲ ମୋଡରେ ଶୁଣାଣି ସମୟରେ ଉପସ୍ଥିତ ରହିବେ ବୋଲି ଧରାଯିବ ।
ଅଗଷ୍ଟ ୨ରୁ କମ୍ପ୍ୟୁଟର ଦାଖଲ ବିଭାଗ (କମ୍ପ୍ୟୁଟର ଫାଇଲିଂ ସେକ୍ସନ)ର ଦାଖଲ କାଉଣ୍ଟର ଖୋଲା ରହିବ । ଦିନ ୧୦ଟରୁ ୪ଟା ୩୦ ମଧ୍ୟରେ ଡକୁମେଣ୍ଟ ଓ ଆବେଦନ କାଉଣ୍ଟରରେ ଦାଖଲ କରାଯିବ । ଏଥି ସହିତ ଆବେଦନ ଓ ଡକୁମେଣ୍ଟ ଦାଖଲ ପାଇଁ ଇ-ମେଲ ବା ଇ-ଫାଇଲିଂ ପୋର୍ଟାଲ ମଧ୍ୟ ରହିବ । ମେନସନ୍ ମେମୋ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ବ୍ୟକ୍ତିଗତ ଭାବେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଦାଖଲ କରି ହେବ । ଇ-ମେଲ ମାଧ୍ୟମରେ ସକାଳ ୯ଟାରୁ ୧୦ ମଧ୍ୟରେ ମେନସନ୍ ମେମୋ ମଧ୍ୟ ଦାଖଲ କରିହେବ । ପ୍ରମାଣିତ ପ୍ରତିଲିପି (ସାର୍ଟିଫାଏଡ କପି) ଦରଖାସ୍ତ ଗ୍ରହଣ ଓ ପ୍ରଦାନ କାର୍ଯ୍ୟ ନିୟମିତ ବ୍ୟବସ୍ଥାରେ ଚାଲିବ । ଅଦାଲତ ୱେବସାଇଟରେ ସାପ୍ତାହିକ ଓ ଅତିରିକ୍ତ ତାଲିକା (ୱିକ୍‌ଲି ଓ ସପ୍ଲିମେଣ୍ଟାରି ଲିଷ୍ଟ) ପ୍ରକାଶ ପାଇବ । ମୁଖ୍ୟ ବିଚାରପତିଙ୍କ ଅଦାଲତର ସୀମିତ ସଂଖ୍ୟକ ମାମଲାର ଶୁଣାଣି ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କିଛି ଘଣ୍ଟା ପାଇଁ ପରୀକ୍ଷାମୂଳକ ଭାବେ କରାଯିବ । ଅଗଷ୍ଟ ୨ରୁ ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ଆରମ୍ଭ ହେବ । ଅଦାଲତଙ୍କ ସରକାରୀ ୟୁଟ୍ୟୁବ୍ ଚାନେଲ ଜରିଆରେ ସିଧା ପ୍ରସାରଣ ବ୍ୟବସ୍ଥା ସହିତ ସଂଯୋଗ କରି ହେବ । ଏଥି ପାଇଁ ୱେବସାଇଟ ଓ କଜ୍ ଲିଷ୍ଟ ନୋଟିସରେ ଲିଙ୍କ୍ ଦିଆଯିବ ବୋଲି ଉଚ୍ଚନ୍ୟାୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

Comments (0)
Add Comment