ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ଫଳାଫଳ ଆସନ୍ତା ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ । କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଆୟୋଜନ ହୋଇ ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ ୧୦ମ ପରୀକ୍ଷା ପ୍ରଦର୍ଶନକୁ ଆଧାର କରି ପରୀକ୍ଷା ଫଳ ମୁଲାୟନ ହେବ । ତେଣୁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ପରୀକ୍ଷା ପ୍ରଦର୍ଶନ ଅନୁସାରେ ମାର୍କ ପାଇପାରିବେ । ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ମାର୍କ ପୂର୍ବଥରର ସିଏଚଏସ୍ଇ ପରୀକ୍ଷାର ପ୍ରଦର୍ଶନ ଆଧାରରେ ପ୍ରସ୍ତୁତ ହେବ । ସେହିପରି ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ କମ୍ପୋନେଟ ପାଇଁ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ ।
ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଉ ଥରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ସୁଧୁରିବା ପରେ ଅଫ୍ଲାଇନ୍ ପରୀକ୍ଷା ହେବ । ଏଥି ପାଇଁ ସିଏଚଏସଇର ୱେବସାଇଟରେ ନିର୍ଦ୍ଧାରିତ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଓ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୨୦୨୧ର ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି । କିନ୍ତୁ ଯୁକ୍ତ ୨ ପରୀକ୍ଷା ଫଳ ବାହାର କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ରାଜ୍ୟ ସରକାରଙ୍କ ଗତ ୫ ତାରିଖ ବିଜ୍ଞପ୍ତି ଅନୁସାରେ ଯୁକ୍ତ ୨ ପରୀକ୍ଷା ଫଳ କେଉଁ ଆଧାରରେ ବାହାର କରାଯିବ, ବିଶେଷଜ୍ଞ କମିଟି ସେହି ଦାୟିତ୍ୱ ନେଇଛନ୍ତି ।