ଅଧ୍ୟାପକଙ୍କୁ ୟୁଜି/ପିଜି ପରୀକ୍ଷା ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଅନଲାଇନରେ ୟୁଜି ଓ ପିଜି ପରୀକ୍ଷା ହେବ । ତେବେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଓ ପରୀକ୍ଷାର ଦାୟିତ୍ୱ ଅଧ୍ୟାପକମାନଙ୍କୁ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ଆଜି ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବା ପରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ପ୍ରତି ଅଧ୍ୟାପକଙ୍କ ଦାୟିତ୍ୱରେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ । ପରୀକ୍ଷା କିପରି ହେବ ତାହା ଅଧ୍ୟାପକ୍ଷ ମାନଙ୍କର ଦାୟିତ୍ୱ । କରୋନାର ଏହି ଉତ୍କଟ ସମୟରେ କିଭଳି ଶୃଙ୍ଖଳିତ ଭାବେ ଅନଲାଇନ୍ ପରୀକ୍ଷା କରାଯିବ ତା’ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।
ଚଳିତଥର ମେଂଟରିଂ ସିଷ୍ଟମ୍ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯଦି ଗୋଟିଏ ବିଭାଗରେ ୩୨ ଜଣ ପିଲା ଅଛନ୍ତି, ଏବଂ ସେହି ବିଭାଗରେ ୪ ଜଣ ଅଧ୍ୟାପକ ଅଛନ୍ତି । ତେବେ ଜଣେ ଅଧ୍ୟାପକ ୮ ଜଣ ଛାତ୍ରଛାତ୍ରୀଙ୍କ ମେଂଟରିଂ କରିବେ ଅର୍ଥାତ୍ ସେମାନଙ୍କ ପରୀକ୍ଷା ଦାୟିତ୍ୱ ନେବେ । ଛାତ୍ରଛାତ୍ରୀ କିଭଳି ସୂଚାରୁ ରୂପେ ପରୀକ୍ଷା ଦେବେ ସେ ଦାୟିତ୍ୱ ଅଧ୍ୟାପକ ନେବେ । ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେଣୁ ଅନଲାଇନ୍ ପରୀକ୍ଷା ସଂପର୍କରେ ବିଶେଷ ଆଲୋଚନା କରାଯାଇଛି । ସେହିପରି ଯଦି କୌଣସି ପିଲା ଘରେ ପରୀକ୍ଷା ଦେବାର ସୁବିଧା ନ ଥିବ, ତା’ହେଲେ ସେ ନିକଟସ୍ଥ ଡିଗ୍ରୀ କଲେଜରେ ଅନଲାଇନ୍‌ରେ ପରୀକ୍ଷା ଦେଇପାରିବ । ତାଙ୍କ ପରୀକ୍ଷା ଦାୟିତ୍ୱ ସମ୍ପୃକ୍ତ କଲେଜ ନେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।

Comments (0)
Add Comment