ଆକାଶରୁ ଖସୁଛି ରକେଟ

ୱାଶିଂଟନ୍‌: ଚୀନ୍ ଦ୍ୱାରା ସୃଷ୍ଟି କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କର କାରଣ ହୋଇଥିବା ବେଳେ ଏବେ ପୁଣି ଚୀନ୍ ନିର୍ମୀତ ଏକ ରକେଟ୍ ଆକାଶରେ ନିୟନ୍ତ୍ରଣ ହରାଇ ତଳକୁ ଖସିବା ଆରମ୍ଭ କରିଛି । ସପ୍ତାହକ ଭିତରେ ଭୂପୃଷ୍ଠରେ ଆସି ପଡିବ । ଏହି ବିଶାଳକାୟ ରକେଟ୍ କେଉଁଠି ପଡିବ ତାହା ଜଣାପଡିନାହିଁ । ଏବେ ଏହାକୁ ନେଇ ଚିନ୍ତାରେ ବିଶ୍ୱବାସୀ । ବିଶାଳ ରକେଟ୍ ଯଦି କେଇଁ ଜନବସତି ଅଞ୍ଚଳରେ ଖସିପଡେ ତେବେ ବିପୁଳ ଧନଜୀବନ କ୍ଷୟକ୍ଷତି ଘଟାଇବା ଆଶଙ୍କା ରହିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା କହିଛି ସମ୍ଭବତଃ ଚଳିତ ମାସ ୮ ତାରିଖରେ ଏହା ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିବ । କିନ୍ତୁ କେଉଁ ସ୍ଥାନରେ ଏହା ପ୍ରବେଶ କରିବ ତାହା କେହି ହେଉନାହିଁ ।
ଏହି ରକେଟ୍‌କୁ ଚୀନ ମହାକାଶକୁ ଛାଡିଥିଲା । ଲଙ୍ଗ ମାର୍ଚ୍ଚ ୫ବି ନାମକ ଏହି ରକେଟ୍‌କୁ ଚୀନ ତାହାର ତିଆନେ ସ୍ପେଶ୍ ଷ୍ଟେସନ୍‌ପାଇଁ ପ୍ରଥମ ମଡ୍ୟୁଲ୍ ନିମନ୍ତେ ପ୍ରସ୍ତୁତ କରିଥିଲା । ତିଆନେ ମଡ୍ୟୁଲକୁ ଧରି ୩୦ ମିଟର ଦୀର୍ଘ ଲଙ୍ଗ ମାର୍ଚ୍ଚ ୫ବି ରକେଟ୍ ଚୀନ୍‌ର ଦକ୍ଷିଣକୁ ଥିବା ହାଇନାନ ଦ୍ୱୀପ ପ୍ରଦେଶର ୱେନ୍‌ଚାଙ୍ଗ ମହାକାଶ ଯାନ ଉତେ୍‌କ୍ଷପଣ କେନ୍ଦ୍ରରୁ ଏପ୍ରିଲ୍ ୨୯ରେ ମହାକାଶକୁ ପଠାଯାଇଥିଲା । ଏହି ମାନବ ବିହୀନ ମଡ୍ୟୁଲକୁ ପୃଥିବୀର ନିମ୍ନ କକ୍ଷପଥକୁ ନେଇଯିବା ପରେ ଲଙ୍ଗ ମାର୍ଚ୍ଚ ୫ବି ନିଜେ ଏକ ଅସ୍ଥାୟୀ କକ୍ଷପଥରେ ପହଞ୍ଚିଥିଲା । କିନ୍ତୁ ତାହାପରେ ରକେଟ୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହା ଉକ୍ତ ରକେଟ୍ ଉପରେ ବରାବର ନଜର ରଖିଛି । ଏହା ଚଳିତ ମାସ ୮ ତାରିଖରେ ପୃଥିବୀର ବାୟୁମଣ୍ଡଳମଧ୍ୟକୁ ପୁନଃପ୍ରବେଶ କରିବା ଆଶା କରାଯାଉଛି । କିନ୍ତୁ ଏହା କେଉଁ ସ୍ଥାନରେ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବ ତାହା ଏଯାଏ ଜଣାପଡିନାହିଁ । ଉତିମଧ୍ୟରେ ଏକ ମହାକାଶ ନିରୀକ୍ଷଣକାରୀ ୱେବସାଇଟ୍ ସୂତ୍ରକୁ ଆଧାର କରି ଫକ୍ସ ନ୍ୟୁଜ୍ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୧୦୦ ଫୁଟର ଏକ ବସ୍ତୁ ପୃଥିବୀକୁ ପ୍ରତି ୯୦ ମିନିଟ୍‌ରେ ପ୍ରଦକ୍ଷିଣ କରୁଛି । ସମ୍ଭବତଃ ଏହା ପୃଥିବୀ ପୃଷ୍ଠରେ କୌଣସି ସମୁଦ୍ର ଅଥବା ଜନଶୂନ୍ୟ ସ୍ଥଳରେ ଖସିବା ଅନୁମାନ କରିଛି ଏହି ୱେବ୍‌ସାଇଟ୍ ।

Comments (0)
Add Comment