ନୂଆଦିଲ୍ଲୀ: ସମସ୍ତ କୋଭିଡ-୧୯ କଟକଣା ସହ ସୋମବାର ଆସନ୍ତା ୮ ତାରିଖ ସୋମବାର ଠାରୁ ସଂସଦରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଗଣମାଧ୍ୟମକୁ କହିଛନ୍ତି ।
ବାଚସ୍ପିତ କହିଛନ୍ତି ଯେ, ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକସଭା ଚାଲିବ । ଏପ୍ରିଲ୍ ୮ ତାରିଖ ଦିନ ଏହି ଅଧିବେଶନର ଦ୍ୱିତୀୟ ଭାଗ ଶେଷ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଜାନୁଆରି ୨୯ରେ ଆରମ୍ଭ ହୋଇଥିବା ସଂସଦର ବଜେଟ୍ ଅଧିବେଶନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରି ୧ ତାରିଖ ଦିନ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ । ଦୁଇ ଭାଗ କରାଯାଇଥିବା ସଂସଦର ଏହି ବଜେଟ୍ ଅଧିବେଶନର ପ୍ରଥମ ଭାଗ ୯୯.୫% ଫଳପ୍ରଦ ହୋଇଥିବା କଥା ବାଚସ୍ପତି ବିର୍ଲା ସୂଚନା ଦେଇଛନ୍ତି । ୫୦ ଘଂଟା ଧାର୍ଯ୍ୟ କରାଯାଇଥିବା ୨୦୨୧ ବଜେଟ୍ ଅଧିବେଶନରେ ଲୋକସଭା ୪୯ ଘଂଟା ୧୭ ମିନିଟ୍ ଚାଲିଥିଲା ବୋଲି ସେ କହିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଏବଂ ବଜେଟ୍ ସମ୍ବନ୍ଧୀୟ ବିତର୍କରେ ସମୁଦାୟ ୪୯ ଜଣ ମହିଳା ସାଂସଦ ଅଂଶଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି । ଏହାଛଡା, ପାର୍ଲାମେଂଟ ପରିସରରେ ସାଂସଦମାନଙ୍କ ନିମନ୍ତେ ଏକ କୋଭିଡ-୧୯ ଟିକାକରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି ବୋଲି ଲୋକସଭା ବୁଲେଟିନ୍ରୁ ଜଣାପଡିଛି ।