ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଭଲ୍ୟୁନଟାରୀ ୱାର୍କ’ ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଅନୁଷ୍ଠିତ ହୋଇଯାଇଛି । ନିଶାଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ବ୍ୟାପାର ଅନେକ ଦିନରୁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ୭ ଡିସେମ୍ବର ୧୯୮୭ରେ ସଂଯୁକ୍ତ ରାଷ୍ଟ୍ରମାନଙ୍କ ମହାସଭାରେ ସବୁ ବର୍ଷ ଜୁନ୍ ୨୬ ତାରିଖକୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ବହୁଳ ଭାବେ ଯୁବକମାନେ ନିଶାଗ୍ରସ୍ତ ହେବାକୁ ଲାଗିଲେଣି, ଯାହାକି ଏକ ଚିନ୍ତା ଓ ଦୁର୍ଭାଗ୍ୟଜନକ ବିଷୟ । ନିଶାର ପ୍ରଭାବ କେବଳ ଦେହ ପାଇଁ ଖରାପ ନୁହେଁ, ଏହା ପାରିବାରିକ ଓ ସାମାଜିକ ଜୀବନରେ ମଧ୍ୟ କୁପ୍ରଭାବ ପକାଏ ବୋଲି ଶ୍ରୀ ଅଲ୍ଲୀ କହିଥିଲେ । ସେଥିପାଇଁ ବେଳ ଥାଉ ଥାଉ ସାବଧାନ ହେବା ଉଚିତ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ନିଶାକୁ ନା, ନିଶାଦ୍ରବ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକନ୍ତ ପ୍ରଭୃତି ନାରା ଦେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏତଦ୍ ବ୍ୟତୀତ ନିଶା ଦ୍ରବ୍ୟଠାରୁ ନିଜେ ଦୂରେଇ ରହିବା ସହ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିଶାଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିବେ ବୋଲି ପ୍ରତିଜ୍ଞା କରିଥିଲେ । ଆଜିଠୁ ଆରମ୍ଭ ହୋଇଥିବା ଆଂଟିଡ୍ରଗ୍ ଅଭିଯାନକୁ ସଫଳତାର ସହ ଆଗକୁ ନେବାପାଇଁ ଶପଥ ନେଇଥିଲେ ।

Comments (0)
Add Comment