ଆସିଲା କରୋନାର ଦ୍ବିତୀୟ ଲହର : ଇଂଲଣ୍ଡରେ ପୁଣି ଲକ୍‌ଡାଉନ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହେବାକୁ ଯାଉଛି। ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସେପ୍ଟେମ୍ବରରେ କରୋନା ସଂକ୍ରମଣ ଶୀର୍ଷସ୍ଥାନରେ ପହଞ୍ଚିବା ପରେ ଧୀରେ ଧୀରେ ହ୍ରାସ ପାଇଥିଲା। ଏପରିକି ଦେଶର ଦୈନିକ ସଂକ୍ରମଣ ୪୦ ହଜାର ତଳକୁ ଖସିଆସିଥିଲା। ପାର୍ବଣ ପରେ ଏହି ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି। ଦିଲ୍ଲୀ ସହିତ କେରଳ, ତାମିଲନାଡୁ ଓ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଦିନକ ମଧ୍ୟରେ ଭାରତରେ ୪୬ ହଜାର ୯୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ୮୪ହଜାର ୦୮୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୪୭୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ହଜାର ୨୨ ହଜାର ୧୧୧ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୭୦ ହଜାର ୪୫୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୪ ଲକ୍ଷ ୯୧ ହଜାର ୫୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ କୋଭିଡ ଆରୋଗ୍ୟ ହାର ୯୧.୫୪ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ୧.୪୯ରେ ସୀମିତ ରହିଛି। ଅନ୍ୟପକ୍ଷରେ ଲୋକଙ୍କ ଭିତରେ କରୋନାକୁ ନେଇ ଢିଲାପଣ ହିଁ ସ୍ଥିତି ବିଗାଡୁଥିବା ଏମ୍ସ ନିର୍ଦେଶକ ଡାକ୍ତର ଗୁଲେରିଆ କହିଛନ୍ତି। କରୋନାର ଦ୍ବିତୀୟ ଲହର ତୀବ୍ରତର ଭାବେ ବୃଦ୍ଧି ପାଇଥିବାବେଳେ ତୃତୀୟ ଲହର ନେଇ ହେଉଥିବା ଚର୍ଚ୍ଚାକୁ ସେ ଅସ୍ବୀକାର କରିଛନ୍ତି। କରୋନାର ତୃତୀୟ ଲହର ଆସିନାହିଁ; ବରଂ ଦ୍ବିତୀୟ ଲହର ଅଧିକ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଡ଼. ଗୁଲେରିଆ ସୂଚନା ଦେବା ସହ ବିନା କାମରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଦୂଷଣ ଓ କରୋନା ଭୂତାଣୁ ଉଭୟ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ। ଗୋଟିଏ ପଟେ କରୋନା ଭୂତାଣୁ ଏଯାଏ ଶେଷ ହୋଇ ନ ଥିବାବେଳେ ଅନ୍ୟପଟେ ଶୀତ ଆରମ୍ଭ ଯୋଗୁଁ ପ୍ରଦୂଷଣ ବଢୁଛି। ଯଦି ଲୋକମାନେ ସତର୍କ ନ ହୁଅନ୍ତି ଓ କରୋନା ସଂକ୍ରାନ୍ତ ନିୟମର ଅନୁପାଳନ ନ କରନ୍ତି ତେବେ ଅଧିକ ସଂକ୍ରମଣ ଆଗକୁ ଘଟିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଭାରତ ସହିତ ବିଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ୟୁରୋପୀୟ ଦେଶଗୁଡ଼ିକରେ ଏବେ କରୋନା ଭୂତାଣୁ ସଂକ୍ରମଣ ଅଧିକ ବେଗରେ ବ୍ୟାପିବାରେ ଲାଗିଛି। ଏହି ସଂକ୍ରମଣକୁ ନେଇ ଇଂଲଣ୍ଡରେ ପୁଣି ଥରେ ଲକ୍‌ଡାଉନ (ତାଲାବନ୍ଦ) ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ନଭେମ୍ବର ୫ ତାରିଖରୁ ଡିସେମ୍ବର ୨ ତାରିଖ ଯାଏଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି। ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ସମୟରେ ସ୍କୁଲ ଓ କଲେଜ ଖୋଲା ରହିବ ଓ ରେସ୍ତୋରାଁ, ପବ, ହୋଟେଲ ବନ୍ଦ ରହିବ। ଲୋକଙ୍କ ଯିବା ଆସିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି। ଲକ୍‌ଡାଉନ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଇଂଲଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବୈଠକରେ ଚିନ୍ତାପ୍ରକଟ କରାଯାଇ ଲକ୍‌ଡାଉନ କରିବାକୁ ନିଷ୍ପତ୍ତି ହୋଇଥିଲା। ବ୍ରିଟେନରେ ଗତ ୫ ଦିନର ତଥ୍ୟକୁ ସମୀକ୍ଷା କଲେ, ଏଠାରେ ଦୈନିକ ହାରାହାରି ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ପ୍ରାୟ ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକଡାଉନ ଘୋଷଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନସନ୍‌ ଟ୍ୱିଟରରେ ସୂଚନା ଦେଇଛନ୍ତି। ଜରୁରୀ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଦେଶବାସୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ହାରାହାରି ୯୫ ହଜାର ନୂଆ ସଂକ୍ରମିତ ହେଉଥିବାବେଳେ ଏକ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏପରିକି ରୁଷ୍‌ରେ ମଧ୍ୟ କରୋନାର ଦ୍ବିତୀୟ ଲହର ଫେରିଛି। ଦୈନିକ ହାରାହାରି ୧୮ ହଜାର ନୂଆ ସଂକ୍ରମଣ ସହ ଦିନକୁ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ସେହିଭଳି ବ୍ରାଜିଲରେ ମଧ୍ୟ କରୋନା ପୁନଃସଂକ୍ରମଣ ଆରମ୍ଭ ହୋଇଯାଇଛି। ଗତ ୫ ଦିନର ତଥ୍ୟକୁ ବିଶ୍ଲେଷଣ କଲେ ଦୈନିକ ହାରାହାରି ୨୬ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଦିନକୁ ୩୫୦ରୁ ଅଧିକ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି।

Comments (0)
Add Comment