ଆସିଲା ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କରୋନା ସଙ୍କଟ ଯୋଗୁ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି, ତା’ହା ଏହି ସର୍ଭେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ମାଇନସ ୭.୭% ରହିବ। ୨୦୨୦ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ମାଇନସ ୨୩.୯% ଓ ଦ୍ୱିତୀୟ କ୍ୱାର୍ଟର୍‌ରେ ମାଇନସ ୭.୫% ରହିଥିଲା। ମାର୍ଚ୍ଚ ୩୧ରେ ଦେଶର ଚଳିତ ଆର୍ଥିକ ବର୍ଷ ଶେଷ ହେବ। ସେତେବେଳକୁ ଦେଶର ଅଭିବୃଦ୍ଧି ହାର ୭.୭% ହ୍ରାସ ପାଇଥିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ସୁଧାର ଆସିବ। ଆଗାମୀ ଆର୍ଥିକ ବର୍ଷ ଦେଶର ଅଭିବୃଦ୍ଧି ହାର ୧୧% ବଢ଼ିବ। ସର୍ଭେରେ ସରକାର ସ୍ୱୀକାର କରିଛନ୍ତି ଯେ ମହାମାରୀ କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ ପାଇଁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଅର୍ଥନୀତିକୁ ୨୦୨୧-୨୨ରେ ଟ୍ରାକ୍‌କୁ ଆଣିବା ପାଇଁ ସରକାର ନିଜର ଖର୍ଚ୍ଚ ବୃଦ୍ଧି କରିବେ। ଏକଥା ସର୍ଭେରେ ମଧ୍ୟ ଉଲ୍ଲେଖ କରାଯାଇଛି। ଦେଶର ଅର୍ଥନୀତିକ ସର୍ଭେ ରିପୋର୍ଟକୁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣିଅନଙ୍କ ନେତୃତ୍ୱାଧୀନ ଟିମ୍‌ ପ୍ରସ୍ତୁତ କରିଛନ୍ତି। ସେ ଏହାର ଉପରେ ମତ ଦେଇ କହିଛନ୍ତି, ୨୦୨୧-୨୨ରେ ଦେଶର ଅର୍ଥନୀତି ଭି ଶେପ୍‌ରେ ରିକଭରି କରିବ। ପ୍ରକୃତ ଜିଡିପି ୧୧% ବଢ଼ିବ। ବର୍ତ୍ତମାନ ଦେଶରେ କରୋନା ପାଇଁ ଟିକାକରଣ ଚାଲିଥିବାରୁ, ଏହାର ସକାରାତ୍ମକ ପ୍ରଭାବ ଦେଶର ଅଭିବୃଦ୍ଧି ଉପରେ ପଡ଼ିବାର ସମ୍ଭାବନା ରହିଛି।

Comments (0)
Add Comment