ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଆଜି ଇସ୍ତପା ଦେଇଛନ୍ତି । ସେ ରାଜଭବନରେ ରାଜ୍ୟପାଳ ଥୱାରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଚଳିତ ପାଳିରେ ଶ୍ରୀ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳ ଆଜି ଦୁଇ ବର୍ଷ ପୂରଣ କରିଥିଲା ବେଳେ ଆଜି ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ସେ କହିଛନ୍ତି ଯେ, କାହାର ଚାପରେ ନୁହେଁ ନିଜ ଉଛାରେ ଇସ୍ତଫା ଦେଇଛନ୍ତି । ତେବେ ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସୁପାରିଶ କରିନଥିବା କହିଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ୟେଦ୍ୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ୪ଥର ଦାୟିତ୍ୱଗ୍ରହଣ କରିଥିଲେ ମଧ୍ୟ କୌଣସି ଥର ୫ବର୍ଷିଆ କାର୍ଯ୍ୟକାଳ ପୂରଣ କରିପାରିନାହାଁନ୍ତି ।
ସୂଚନା ଯୋଗ୍ୟ ଯେ, ନିଜ ସରକାରର ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ୟେଦ୍ୟୁରପ୍ପା ନିଜ ଇସ୍ତଫା ନିଷ୍ପତ୍ତି ଘୋଷଣା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ସେ କର୍ଣ୍ଣାଟକରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଗତ ଦୁଇ ବର୍ଷ ହେବ କୋଭିଡ ଚାଲିଛି । ଏହାରି ଭିତରେ ପ୍ରତିଟି ସମୟ ତାଙ୍କ ପାଇଁ ଅଗ୍ନୀ ପରୀକ୍ଷା ଭଳି ଥିଲା । ବିଜେପି ସାଧାରଣ ସଂପାଦକ ସିଟି ରବି କହିଛନ୍ତି, ୟେଦ୍ୟୁରପ୍ପା ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ବି ଆଗାମୀ ଦିନରେ ଉଭୟ ସରକାର ଏବଂ ବିଜେପିକୁ ମାର୍ଗଦର୍ଶନ ଦେବେ । ତାଙ୍କ ମାର୍ଗଦର୍ଶନରେ ରାଜ୍ୟରେ ବିଜେପି ଆହୁରି ମଜବୁତ ହେବ ।
ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଙ୍କ ସମର୍ଥକମାନେ ଦୋକାନ ବଜାର ଏବଂ ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ ସ୍ୱରାଷ୍ଟମନ୍ତ୍ରୀ ଅମିତ୍ ସାହା, ଦଳର ଜେପି ନାଡ୍ଡା ଓ ପ୍ରଭାରୀ ଅରୁଣ ସିଂ ଏକ ବୈଠକରେ ମିଳିତ ହୋଇ ପରବର୍ତୀ ମୁଖ୍ୟମନ୍ତ୍ରୀ ମନୋନୟନ ନେଇ ବିଚାର ଆଲୋଚନା କରୁଥିବା ଜଣାଯାଇଛି ।

Comments (0)
Add Comment