ଉତ୍ପାଦନ ସତ୍ତ୍ୱେ କୋରାପୁଟ ଜିଲ୍ଲାରେ ଅଦା ଦର ଆକାଶ ଛୁଆଁ ; ଚାଷୀ ହେଉଛି ଅଭାବୀ ବିକ୍ରିର ଶିକାର

କୋରାପୁଟ : ଅଦା ଓ ଶୁଣ୍ଠି ଉତ୍ପାଦନ‌ର କୋରାପୁଟ ଜିଲ୍ଲା ରାଜ୍ୟ ସହ ବାହାର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ଉଭୟ ଖରିଫ ଓ ରବି ଋତୁରେ କୋରାପୁଟ ଜିଲ୍ଲାର ସବୁ ବ୍ଲକରେ ଏହି ଅଦାକୁ ଚାଷ କରାଯାଇଥାଏ। ହେଲେ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁରରେ ସର୍ବାଧିକ ଭାବେ ଏହାକୁ ଚାଷ କରାଯାଇଥାଏ। କୋରାପୁଟ ଜିଲ୍ଲାର ଏହି ବ୍ଲକଗୁଡିକରେ ରବି ଋତୁରେ ୭୦୦ ହେକ୍ଟର ଓ ଖରିଫ ଋତୁରେ ୯୦୦ ହେକ୍ଟର ଜମିରେ ଅଦା ଚାଷ ହେଉଥିବାବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଶୀତଳଭଣ୍ଡାର ନ ଥିବାରୁ ଶାଗମାଛ ଦରରେ ଏହାକୁ ପଡୋଶୀ ରାଜ୍ୟର ମାଫିଆ କିଣି ନେଉଥିବାବେଳେ ଦେଖଣାହାରୀ ସାଜିଛନ୍ତି ଉଦ୍ୟାନକୃଷି ଓ କୃଷି ବିଭାଗ। ଅଦା ଦର କେଜି ପ୍ରତି ବର୍ଷତମାମ୍‌ ୫ ଟଙ୍କାରୁ ୧୮ ଟଙ୍କାରେ ସୀମିତ ରହିଥିବାବେଳେ ଚଳିତବର୍ଷ ଏହାର ୧୬୦ ଟଙ୍କାରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଗତବର୍ଷ କୋରାପୁଟ ଜିଲ୍ଲାରେ ହେକ୍ଟରକୁ ୧୮୦ କୁଇଣ୍ଟାଲରୁ ୧୯୦ କୁଇଣ୍ଟାଲ ଅମଳ ହୋଇଥିବାବେଳେ ଏହା ୧୦୭ କୁଇଣ୍ଟାଲରୁ ୧୬୫ କୁଇଣ୍ଟାଲ ରହିଛି। ଗତବର୍ଷ ବର୍ଷା ଓ ଅଚାନକ ପାଣି ହେତୁ ଫସଲ ନଷ୍ଟ ହୋଇଥିବାବେଳେ ବହୁ ଚାଷୀ ଓ ଫାର୍ମର ପ୍ରଡ୍ୟୁସର କମ୍ପାନୀ କ୍ଷତି ସହିଲେ । ଫଳରେ ଅଦାକୁ ନ କିଣାଯାଇଥିବାରୁ , ଏହା କେଜି ପ୍ରତି ୫ଟଙ୍କାରୁ ଆରମ୍ଭ କରି ବର୍ଷ ଶେଷରେ ଏହା ୧୮ଟଙ୍କା ଯାଏ ରହିଥିଲା। କିନ୍ତୁ ଚଳିତବର୍ଷ ଆରମ୍ଭରୁ ହିଁ କେଜି ପ୍ରତି ୧୬୦ ଟଙ୍କା ରହିଛି। ଏହା ଆସନ୍ତାଦିନରେ ୩୦୦- ୩୫୦ ଟଙ୍କା ଯାଏ ମଧ୍ୟ ବୃଦ୍ଧି ପାଇପାରେ। ତେବେ ହଠାତ ବଢିବା‌ର କାରଣ ଅଦାକୁ ଶାଗମାଛ ଦରରେ କିଣୁଛନ୍ତି ଆନ୍ଧ୍ର ଓ ଛତିଶଗଡର ମାଫିଆ। ପଚିଯିବା ଭୟରେ ଚାଷୀ ମଧ୍ୟ ଶାଗମାଛ ଦରରେ ବିକ୍ରି କରିଦେଉଛନ୍ତି। ହେଲେ ଏହାକୁ ଶୁଖାଇ ବିଦେଶରେ ବିକି ମାଲେ ମାଲେ ହେଉଛନ୍ତି ଆନ୍ଧ୍ର ଓ ଛତିଶଗଡର ମାଫିଆ। ଗତ ବର୍ଷ ଅଦାର ଦର ରାଜ୍ୟ ଭିତରେ ୬୦ରୁ ୭୦ ଟଙ୍କା ରହୁଥିବାବେଳେ କୋରାପୁଟରେ ୫ ଟଙ୍କାରୁ ୧୮ ଟଙ୍କା ମଧ୍ୟରେ ରହୁଥିଲା। କରୋନା ସମୟରେ କିଛି ଆନ୍ଧ୍ର ମାଫିଆକୁ ଏହାକୁ ଶୁଖାଇ ରାଜ୍ୟ ବାହାରକୁ ରପ୍ତାନି କରୁଥିବାବେଳେ, ଏହି ଧାରା ଲୋକପ୍ରିୟ ହେବା ପରେ ଖାଉଟି ବଜାରରେ କେଜି ପ୍ରତି ୧୬୦କୁ ବୃଦ୍ଧି ପାଇଛି। ଏଥିରେ ଚାଷୀ ଳାଭ ପାଉ ନଥିବାବେଳେ ମାଫିଆ ଚାଷୀ ଅଭାବୀ ବିକ୍ରିର ଶିକାର କରି ମାଲେ ମାଲେ ହେଉଛନ୍ତି। ତେବେ କୋରାପୁଟରେ ଉତ୍ପାଦନ ହେଉଥିବା ଅଦା କଞ୍ଚା ବେଳେ ଅଦା ଓ ଶୁଖିଗଲେ ଶୁଣ୍ଠି ହୋଇଥାଏ । କଞ୍ଚା ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ। ଏହା ବ୍ୟତୀତ ଅଦାରେ ଆଇରନ୍, କ୍ୟାଲ୍‌ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ ତ‌ଥା ଭିଟାମିନ ପର୍ଯ୍ୟାପ୍ତ ପରିମାଣରେ ଥାଏ। କିନ୍ତୁ ଶୁଖିଲା ପରେ ଏହା ଶୁଣ୍ଠି ହେଉଥିବାରୁ ବଦ‌ହଜମି, ଗ୍ୟାସ୍, ପେଟ ବିନ୍ଧା, ପେଟ କାମୁଡ଼ା, କାଶ ଆଦି ରୋଗରୁ ମୁକୁଳିବା ପାଇଁ ଅଦା ବ୍ୟବ‌ହାର କରାଯାଉଥିବାରୁ ଏହାକୁ ପାଥେୟ କରି କୋରାପୁଟର ଚାଷୀଙ୍କୁ ଲୁଟୁଛନ୍ତି ଆନ୍ଧ୍ର ଓ ଛତିଶଗଡର ମାଫିଆ। ଏହିଠାରୁ ଏହି ମାଫିଆମାନେ ଅଦାକୁ ନେଇ ପକ୍ରିୟାକରଣ କରି ଏହାକୁ ଶୁଣ୍ଠି କରୁଛନ୍ତି। ଏହାପରେ କୋରାପୁଟ ଅର୍ଗାନିକ୍‌ ଶୁଣ୍ଠି ବୋଲି କେଜି ପ୍ରତି ୧୦୦୦ ଟଙ୍କାରୁ ୧୫୦୦ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଅନଲାଇନ ବଜାରରେ ଏହା ସହଜରେ ଉପଲବ୍ଧ ହେଉଥିବାରୁ ଲୋକେ କିଣି ନେଉଛନ୍ତି। ଫଳରେ ରାତିଦିନ ଏକ କରି ଅଦା ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବାବେଳେ ଚାଷୀଙ୍କଠାରୁ କିଣି ନେଇ ପଢୋଶୀ ରାଜ୍ୟର ମାଫିଆ ମାଲେମାଲେ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ଉଦ୍ୟାନକୃଷି ବିଭାଗର ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳ କହିଛନ୍ତି ଯେ ଅଦା ପକ୍ରିୟାକରଣ ୟୁନିଟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆମେ ୪ଟି ବ୍ଲକରେ ୬ଟି ପକ୍ରିୟାକରଣ ୟୁନିଟ ବସାଇବାକୁ ମନସ୍ତ କରିଛୁ। କୋରାପୁଟ, ଲମତାପୁଟ, ନନ୍ଦପୁର ଓ ପଟାଙ୍ଗୀରେ ୟୁନିଟ କରାଯିବ। ଏଇଥିପାଇଁ ଦୁଇଟି ଏସଏସଜିଙ୍କୁ ମନୋନିତ କରାଯାଇଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଶନଶକ୍ତି ସହଯୋଗରେ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଏସଏସଜି ବର୍ଷ ତମାମ୍‌ ଅଦାକୁ ପକ୍ରିୟାକରଣ କରି ସେଥିରୁ ବେଶ ଦୁଇ ପଇସା ପାଇପାରିବେ। ଏହାସହ ଚାଷୀ ମଧ୍ୟ ଉପକୃତ ହେବେ ବୋଲି ସେ କହିଛନ୍ତି।

Comments (0)
Add Comment