ଏ ବର୍ଷ ବିଦ୍ୟୁତ୍ କାଟ ହେବନି

ଭୁବନେଶ୍ୱର : ଗ୍ରାହକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରିବାକୁ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଶକ୍ତି ବିଭାଗ ଅନେକ ପଦକ୍ଷେପ ନେଇଛି । ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବାକୁ ୨୦୧୯ରେ ଓପିଜିସି ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍କୁ ବୃଦ୍ଧି କରିଛି । ଏବେ ରାଜ୍ୟରେ ପ୍ରାୟ ୭,୨୯୦ ମେଗାୱାଟ୍ ବିଦ୍ୟୁତ୍ ଉପଲବ୍ଧ ଥିବାରୁ ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ୍ ଶକ୍ତି ଚାହିଦା (୪,୫୦୦ରୁ ୫,୦୦୦ ମେଗାୱାଟ୍) ସୁରୁଖୁରୁରେ ପୂରଣ ହୋଇପାରୁଛି । ଗ୍ରାହକଙ୍କୁ କମ୍ ଦରରେ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ବଦ୍ଧପରିକର । ତେଣୁ ଗ୍ରାହକଙ୍କ ସ୍ୱାର୍ଥକୁ ନଜରରେ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ବୃଦ୍ଧି ନ କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ନିକଟରେ ରାଜ୍ୟ ସରକାର ପ୍ରସ୍ତାବ ରଖିଛନ୍ତି, ଯାହାର ରାୟ ଆସନ୍ତା ୨୩ ତାରିଖରେ ଓଇଆରସି ଶୁଣାଇବେ । ଏଥିସହ ପିକ୍ ସମୟରେ ବିଦ୍ୟୁତ୍ କାଟ୍ ନ କରିବାକୁ ବିତରଣ ସଂସ୍ଥାଗୁଡ଼ିକୁ କୁହାଯାଇଛି । ମଝିରେ ମଝିରେ ଯେଉଁ ବିଦ୍ୟୁତ୍ କଟୁଛି ତାହା ବିଦ୍ୟୁତ୍ କାଟ ନୁହେଁ । ବରଂ ୩୩ କେଭି, ୧୧କେଭି ଓ ଏଲ୍ଟି ଲାଇନରେ ମରାମତି ପାଇଁ ବିଦ୍ୟୁତ୍ କାଟିବାକୁ ପଡ଼ୁଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । ଗୀତଗୋବିନ୍ଦ ସଦନରେ ଆୟୋଜିତ ଶକ୍ତି ବିଭାଗ ବଜେଟ୍ ୨୦୨୩-୨୪ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଉପାନ୍ତ ଅଞ୍ଚଳରେ ସୃଷ୍ଟି ହେଉଥିବା ଲୋ-ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ବଜେଟରେ ଯଥାସାଧ୍ୟ ବ୍ୟବସ୍ଥା ହୋଇଛି । ଭୋଲ୍ଟେଜରେ ଉନ୍ନତି ପାଇଁ ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦୦ରୁ ଅଧିକ ୩୩/୧୧ କେଭି ସବ୍-ଷ୍ଟେସନ୍ କାର୍ଯ୍ୟକ୍ଷମ ହେବ ।

Comments (0)
Add Comment