ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି । ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାର ଏକ ନ ମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ ଅଧିକ ରହିଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ଫେବ୍ରୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ପାଖାପାଖି ୨.୦୬ ଲକ୍ଷ ବୃଦ୍ଧି ଘଟିଛି ଏବଂ ଏହା ସହିତ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହିଥିବା ଜଣାପଡିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟ ଟେଲିକମ୍ ବଜାରରେ ଅଗ୍ରଣୀ ଭୂମିକାରେ ଥିବା ରିଲାଏନ୍ସ ଜିଓର ୧,୨୩,୨୫,୫୮୭ ମୋବାଇଲ୍ ଉପଭୋକ୍ତା ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍ର ୧,୧୫,୩୫,୨୨୬, ବିଏସ୍ଏନ୍ଏଲ୍ର ୬୧,୭୫,୭୬୮ ଓ ଭୋଡାଫୋନ୍ ଆଇଡିଆର ୩୩,୪୧,୭୯୦
ମୋବାଇଲ୍ ଉପଭୋକ୍ତା ଅଛନ୍ତି । ଫେବ୍ରୁଆରିରେ କେବଳ ରିଲାଏନ୍ସ ଜିଓ ଓ ବିଏସ୍ଏନ୍ଏଲ୍ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଥିବା ବେଳେ ଏହି ସମାନ ସମୟରେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଜିଓ ପକ୍ଷରୁ ୨.୪୩ ଲକ୍ଷ ଗ୍ରାହକ ଯୋଡ଼ାଯାଇଥିବା ବେଳେ ବିଏସ୍ଏନ୍ଏଲ୍ ପ୍ରାୟ ୭୫ ହଜାର ଗ୍ରାହକ ଯୋଡ଼ିଛି । ଭାରତୀ ଏୟାରଟେଲ୍ ଏହି ମାସରେ ରାଜ୍ୟରେ ୮୩ ହଜାରରୁ ଅଧିକ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ପ୍ରାୟ ୨୯,୦୦୦ ଗ୍ରାହକ ହରାଇଛି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ୨୦୨୦ ଫେବ୍ରୁଆରିରେ ୬୨.୫ ଲକ୍ଷରୁ ଅଧିକ ଗ୍ରାହକ ଯୋଡିବା ସହ ଦେଶର ଏକ ନ ମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ।