ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ଚାଷୀଙ୍କ ପାଇଁ ଖୁସି ଖବର । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଛି ବୋଲି ଆଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦେଶକ ଏ.ଆର.ବିଶ୍ୱାସ କହିଛନ୍ତି । ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ମୌସୁମୀ ଆଜି ମାଲକାନଗିିରି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବା ସହ ଝିପିଝିପି ବର୍ଷା ଲାଗିରହିଛି । ତେବେ ଆସନ୍ତା ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଅଛି ।
ସୂଚନାଯୋଗ୍ୟ ଯେ, ୧୧ କିମ୍ବା ୧୨ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବା ନେଇ ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବରୁ ଆକଳନ କରିଥିଲା । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତୀ ଅଂଚଳ ସମେତ ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଏଥିସହ ଲଗାଣ ବର୍ଷା ଲାଗି ରହିବା ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି । ଦକ୍ଷିଣ ଉପକୂଳରେ ସତର୍କ ସୂଚନା ଜାରି କରାଯାଇଛି ।
ଚଳିତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ହେବ ଏବଂ ବର୍ଷାର ପରିମାଣ ୧୦୩ ପ୍ରତିଶତରୁ ଅଧିକ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରେ ଚାଷ ପାଇଁ ଅନୁକୂଳ ହେବ । ଓଡ଼ିଶାରେ ମୌସୁମୀ ପ୍ରବେଶ ସହ ରାଜ୍ୟର ବିଭିନ୍ନ ଅଂଚଳରେ ତୁହାକୁ ତୁହା ବର୍ଷା ଯୋଗୁ ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ଅଂଚଳରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର, ପାରାଦୀପ, ଗୋପାଳପୁର ଏବଂ ଟିଟିଲାଗଡ଼ରେ ବର୍ଷା ହୋଇଥିବା ଜଣାଯାଇଛି ।

Comments (0)
Add Comment