ଦଶପଲ୍ଲା : ପ୍ରୋତ୍ସାହନ ଅଭାବ, ବଜାର ଚାହିଦା କମ୍ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀର ବହୁଳ ବ୍ୟବହାର ପାଇଁ ଦିନକୁ ଦିନ ବାଉଁଶ କାରିଗରମାନେ ସେମାନଙ୍କର ଜୀବିକା ହରାଇବାକୁ ବସିଲେଣି । ବିଶେଷ କରି ବାଉଁଶ କାମ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କାରିଗରଙ୍କ ପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ସେମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ହେଉ କି ପ୍ରସ୍ତୁତ କରୁଥିବା ବାଉଁଶ ସାମଗ୍ରୀର ଉଚିତ ପ୍ରାପ୍ୟ ପ୍ରଦାନ ଦିଗରେ କୌଣସି ଗୁରୁତ୍ୱ ଦିଆଯାଉନାହିଁ । ଫଳରେ ଏହା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଦଳିତ ବର୍ଗର ପରିବାର ଧିରେଧିରେ ନିଜର କୌଳିକ ବ୍ୟବସାୟ ଉପରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି । ବିଶେଷ କରି ଦେଖିବାକୁ ଗଲେ ଦଶପଲ୍ଲା ବନାଞ୍ଚଳରେ କଞ୍ଚାମାଲ୍ ଭାବେ ବହୁଳ ଭାବରେ ବାଉଁଶ ମହଜୁଦ୍ ରହିଛି । ହେଲେ କେତେକ ସ୍ଥାନରେ ବନ ବିଭାଗର କଟକଣା ହେତୁ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଉନାହିଁ । ଦଶପଲ୍ଲା ବ୍ଲକର ପୋଖରୀଗୋଛା ପଞ୍ଚାୟତର କଇଁଆଡିହଁ, ତେଣ୍ତାବାଡ଼ି ପଞ୍ଚାୟତର ପୋଇବାଡ଼ି, ଭୋଗବାଡ଼ି ପଞ୍ଚାୟତର ସାଦଭୁଇଁ ସମେତ ଅନେକ ସ୍ଥାନରେ ଦଳିତ ପରିବାରଗୁଡ଼ିକ ନିଜର କୌଳିକ ବ୍ୟବସାୟକୁ ଆପଣାଇଛନ୍ତି । ଦେନିକ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିବା, ଏହାକୁ କାଟି କୁଲା, ଡାଲିଆ, ମାଣ, ପାଛିଆ ଆଦି ପ୍ରସ୍ତୁତ କରିବାରେ ବହୁ ଶ୍ରମ ନିବେଶ କରିବାକୁ ପଡ଼ୁଛି । ମାତ୍ର ବଜାରର ଚାହିଦା ନଥିବା ହେତୁ ମଜୁରି ଉଠୁନଥିବା କହୁଛନ୍ତି ।
ଏ ସମ୍ପର୍କରେ ସାଦଭୂଇଁ ଗ୍ରାମର କାରିଗରଙ୍କ କହିବା ଅନୁଯାୟୀ, ପୂର୍ବରୁ ଏସବୁ ସାମଗ୍ରୀକୁ ଗାଁ ଗାଁରେ ବୁଲି ବିକ୍ରି କରାଯାଉଥିଲା । ବିକ୍ରି ଅର୍ଥରୁ ବାଉଁଶ ଯୋଗାଡ଼ ପାଇଁ କିଛି ଅର୍ଥ ସଞ୍ଚୟ କରିଥାନ୍ତି । ମାତ୍ର ଏବେ ଆଉ ଏସବୁ ସାମଗ୍ରୀର ବଜାର ଚାହିଦା ନାହିଁ । ବିବାହ, ବ୍ରତ ଆଦି ତିଥିରେ କିଛି ପରିମାଣର କୁଲା, ଡାଲିଆ ବିକ୍ରି ହେଉଛି । ହେଲେ ବର୍ଷସାରା ମାନ୍ଦାବସ୍ଥା ଲାଗି ରହୁଛି । ଗ୍ରାମରେ ପ୍ରାୟ ୧୮ ପରିବାର ବସବାସ କରୁଥିବା ବେଳେ ଏହି ବ୍ୟବସାୟକୁ ସମସ୍ତ ପରିବାର ଆପଣାଇଛନ୍ତି । ଶେଷରେ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହୋଇ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି । କୁଟୀର ଶିଳ୍ପରେ ନିଜର ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନଥିଲେ ବି ଏମାନେ ପୂର୍ବପୁରୁଷର ବୃତ୍ତିକୁ ବଜାୟ ରଖିଛନ୍ତି । ଏଥିପ୍ରତି ସରକାରୀ ପ୍ରୋତ୍ସାହନ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।