ବାରଣାସୀ: କରୋନା ଟିକାରେ ଭାରତ ସମ୍ପୃର୍ଣ୍ଣ ଆତ୍ମନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବାରଣାସୀ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ମତ୍ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶ ଏବେ ମହାମାରୀର ମୁକାବିଲା ପାଇଁ ବିଶ୍ୱର ସର୍ବବୃହତ ଟିକା କରଣ ଅଭିଯାନ ଆରମ୍ଭ କରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରତି ଆସ୍ଥାରଖି ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୧ ଭାରତ ପାଇଁ ଶୁଭରେ ଆରମ୍ଭ ହୋଇଛି । ମହାମାରୀର ମୁକାବିଲା ପାଇଁ ଭାରତ ଦୁଇ ଦୁଇଟି ଟିକା ପ୍ରସ୍ତୁତ କରିଛି । ଏହି ଟିକା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱକୁ କରୋନା ମହାମାରୀର ମୁକାବିଲା ପାଇଁ ସହାୟତା କରିବ । ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ, ଏଣିକି ନିର୍ଭୟରେ ସେମାନେ କାର୍ଯ୍ୟକରିବା ପାଇଁ ଟିକା ସହାୟତା କରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଟିକା ପ୍ରସ୍ତୁତ କରି ଭାରତ ବିଶ୍ୱକୁ ତାର ଶକ୍ତି ଦେଖାଇଛି । ଭାରତୀୟ ବୈଜ୍ଞାନିକ ମାନେ ନିଜର ଦମ୍ ଦେଖାଇଛନ୍ତି । ଭାରତରେ ପ୍ରସ୍ତୁତ ଉଭୟ କୋଭାକ୍ସିନ୍ ଓ କୋଭାସିଲ୍ଡର କୌଣସି ଟିକାର ପାଶ୍ୱ ପ୍ରତିକ୍ରିୟା ନାହିଁ । ପୂର୍ବରୁ ଟିକା କାହିଁ ବୋଲି ସରକାରଙ୍କ ଉପରେ ଚାପ ପଡୁଥିଲା । ଦେଶରେ ଏଭଳି ଇଚ୍ଛାଶକ୍ତି ଯେ, ଦୁଇଟି ଟିକା ପ୍ରସ୍ତୁତ କରିବା ସହ ବିଶ୍ୱର ସର୍ବବୃହତ ଟିକା କରଣ ଆରମ୍ଭ କରିଛି । ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଟିକାର ଅନୁମୋଦନ କୌଣସି ରାଜନୈତିକ ନିଷ୍ପତି ନୁହେଁ ବହୁବାର ଡାକ୍ତର ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା ସହ ସରକାର ଟିକା ଦୁଇଟିକୁ ଅନୁମୋଦନ କରିଛନ୍ତି । ନିର୍ଭୟରେ ଏହି ଟିକା ନେବା ଲାଗି ସେ କରୋନା ଯୋର୍ଦ୍ଧାମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଟିକା ପାଇବାକୁ ପ୍ରଥମ ହକ୍ଦାର ଜନତା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କୋଭିଡ୍ ବିରୁଦ୍ଧରେ ଦେଶବ୍ୟାପୀ ଟିକାଦାନ ଅଭିଯାନ ଆଜି ସପ୍ତମ ଦିନରେ ପହଞ୍ଚିଛି । ବର୍ତମାନ ସୁଦ୍ଧା ଦେଶରେ ୧୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ପ୍ରତିଷେଧକ ଟିକାଦାନ କରାଯାଇଛି । ଫଳରେ ଭାରତ ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି । ଗତକାଲି ୨ ଲକ୍ଷ ୩୩ହଜାର ସ୍ୱାସ୍ଥ୍ୟକର୍ମୀ ପ୍ରତିଷେଧକ ଟିକା ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟ୍ୱିଟ୍ କରି କହିଛି, ଦେଶରେ ବର୍ତମାନ ସୁଦ୍ଧା ୧୦ଲକ୍ଷ ୪୦ ହଜାର ୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଟିକା ଦିଆଯାଇ ସାରିଲାଣି । ଗତ ୧୬ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶବର ସର୍ବବୃହତ୍ କୋଭିଡ୍ ପ୍ରତିଷେଧକ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଗତକାଲି ସର୍ବାଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୧୦ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୀଘ୍ର ପ୍ରତିଷେଧକ ଟିକା ଦେବାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇଛି । ଅନ୍ୟପକ୍ଷରେ ଆମେରିକା ୧୦ଲକ୍ଷ ଲୋକଙ୍କୁ ପ୍ରତିଷେଧକ ଟିକା ଦେବାପାଇଁ ୯ଦିନ ସମୟ ନେଇ ନେଇଥିଲା ।