କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପ୍ରବାସୀ ଶ୍ରମିକଙ୍କ ନାଁରୁ ତାଲାବନ୍ଦ ଉଲ୍ଲଙ୍ଘନ ମାମଲା ହଟାଅ

ନୂଆଦିଲ୍ଲୀ (ଏଜେନ୍ସି): ଲକ୍ଡାଉନ୍ ସମୟରେ କାର୍ଯ୍ୟସ୍ଥଳରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ପୋଲିସ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ନିଜଆଡ଼ୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ସଞ୍ଜୟ କିଶାନ କାଉଲ ଓ ଏମଆର ଶାହାଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତୀକାଳୀନ ରାୟ ଦେଇଛନ୍ତି । ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର-ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରୁ ଘରକୁ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କ ଯାତ୍ରା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ସମସ୍ତ ଅବଶିଷ୍ଟ ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ପ୍ରକ୍ରିୟା ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଉଚିତ ବୋଲି ଏଥିରେ କୁହାଯାଇଛି ।
ସର୍ବୋଚ୍ଚ ନ୍ୟାୟଳୟ ଆହୁରି ମଧ୍ୟ କହିଛନ୍ତି ଯେ ଅନୁରୋଧ ଗ୍ରହଣ କରିବାର ୨୪ ଘଂଟା ମଧ୍ୟରେ ରେଳବାଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗାଇବ । ଅବଶିଷ୍ଟ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଫେରାଇବା ପାଇଁ ରାଜ୍ୟ ସରକାରମାନେ ୧୭୧ଟି ଟ୍ରେନ୍ ପାଇଁ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି ।

Comments (0)
Add Comment