କୋଟିଆରେ ନିର୍ବାଚନ ବନ୍ଦ ପାଇଁ ପିଆଇଏଲ୍

କଟକ: ଆନ୍ଧ୍ର ସୀମାନ୍ତ ସଲଗ୍ନ କୋଟିଆ ଅଞ୍ଚଳରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେବାକୁ ଓଡିଶା ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ଦାୟର ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଦାଏର ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସହ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ମୁଖ୍ୟଶାସନ ସଚିବ, ରାଜସ୍ୱ ସଚିବ, ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାପାଳ ସହ ୭ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ବେଳେ ତୁରନ୍ତ ନିର୍ବାଚନ ବନ୍ଦ କରିବାକୁ ନିଦେ୍ର୍ଧଶ ଲାଗି ପିଟିସନ୍ରେ ନିବେଦନ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗଞ୍ଜାମ, ଗଜପତି ଓ କରୋପୁଟ ଜିଲ୍ଳାରେ ସୀମାନ୍ତ ଅଞ୍ଚଳରେ ଆନ୍ଦ୍ର ଏବେ ପଞ୍ଚାୟତ ନିର୍ବାଚନ କରୁଛି । ଆସନ୍ତା ୧୩ ତାରିଖ ଦିନ ଭୋଟ୍ ଗ୍ରହଣ ହେବ । ଏହି ପଞ୍ଚାୟତ ନିର୍ବାଚନରେ ଓଡିଶାର ସୀମାନ୍ତ ବାସୀଙ୍କୁ ଭୋଟର ଭାବେ ଗ୍ରହଣ କରାଯାଇଛି । ଏପରିକି ମଧ୍ୟ କେତେକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋଟିଆର ୩ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାରେ ୧୩ ତାରଖରେ ପଞ୍ଚାୟତ ନିର୍ବାଚନ ଆନ୍ଦ୍ର କରୁଛି । ଏହାକୁ ନେଇ ଏବେ ରାଜ୍ୟ ରାଜନିତୀ ସରଗରମ ହୋଇପଡିଥିବା ବେଳେ ହାଇକୋର୍ଟରେ ଆସନ୍ତା କାଲି ଜନସ୍ୱାର୍ଥ ମାମଲା ଉପରେ ଶୁଣାଣୀ ହେବା ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଓଡିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ । ବର୍ଷ ବର୍ଷ ଧରି ଆନ୍ଧ୍ର ସରକାରଙ୍କ ଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ ସଂପୂର୍ଣ୍ଣ ଢଳି ସାରିଲେଣି ଗ୍ରାମବାସୀ । ଏପରିକି ନିଜ ମାତୃଭାଷାକୁ ଭୁଲି ସାରିଲେଣି । କୋରାପୁଟ ଜିଲ୍ଲାର କୋଟିଆ ଭଳି ବିବାଦୀୟ ସ୍ଥିତି ଏଠାରେ ଉତ୍ପନ୍ନ ହୋଇସାରିଛି । ଚଳିତ ସପ୍ତାହରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ସାମିଲ ହେବେ ବୋଲି ସୂଚନା ମିଳିଛି । ତୁରନ୍ତ କୌଣସି ପଦକ୍ଷେପ ନିଆ ନଗଲେ ଆନ୍ଧ୍ର ମାନଚିତ୍ରରେ ଏହି ଗାଁ କେତେବେଳେ ଯେ ଯୋଡି ହୋଇଯିବ ତାହା କହିହେବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି ।
ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗା ଗାଁ ଉପରେ ପଡିଛି ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି । ଓଡିଶା ସରକାର ଏବଂ ପ୍ରଶାସନିକ ଅବହେଳାର ସୁଯୋଗ ନେଇ କିଛିବର୍ଷ ତଳେ ଏହି ଗାଁରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । ପ୍ରଥମେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଇଥିଲେ । ଲୋକେ ଆନ୍ଧ୍ର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଗାଁକୁ ପକ୍କା ରାସ୍ତା କରାଗଲଶ । ସମସ୍ତ ଘରକୁ ବିଦ୍ୟୁତ ସଂଯୋଗ ଦେଇ ବିଦ୍ୟାଳୟ ମଧ୍ୟ ଖୋଲିଲେ ଆନ୍ଧ୍ର ସରକାର । ଏହାକରେ ପୂରା ଗାଁକୁ ଅକ୍ତିଆର କରିବାକୁ ଲୋକଙ୍କୁ ଆନ୍ଧ୍ରର ପରିଚୟ ପତ୍ର ଦିଆଯାଇଛି । ଏବେ ଗ୍ରାମବାସୀ ଆନ୍ଧ୍ର ଦେଇଥିବା ଭୋଟର କାର୍ଡ, ରାସନ କାର୍ଡ ଏବଂ ଆଧାର କାର୍ଡକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । କାଁ ଭାଁ ଲୋକଙ୍କୁ ବାଦ ଦେଲେ ସମସ୍ତେ ତେଲୁଗୁ ଭାଷାରେ ହିଁ କଥାବାର୍ତା କରୁଛନ୍ତି ।
ଏପରିକି ଗଣମାଧ୍ୟମ ସମ୍ମୁଖରେ ଆନ୍ଧ୍ର ସରକାରଙ୍କ ଗୁଣଗାନ କରିବାକୁ ବି ପଛାଇ ନାହାନ୍ତି ଏହି ଦୁର୍ଗମ ତଥା ସୀମାନ୍ତ ଗାଁର ଲୋକ । ନକ୍ସଲ ପ୍ରବଣ ଏହି ଅଞ୍ଚଳରେ ଓଡିଶା ସରକାରଙ୍କ ଅଧିକାରୀଙ୍କ ପାଦ ପଡେନାହିଁ । ଯାହାର ସୁଯୋଗ ନେଇ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓ ରାଜନେତା ଓଡିଶା ବିରୋଧରେ ଏତେ ବଡ ଷଡଯନ୍ତ୍ର କରିଥିବା କୁହାଯାଉଛି । ଗ୍ରାମବାସୀ ବର୍ତମାନ ଏତେ ମାତ୍ରାରେ ଉତ୍ସାହିତ ଅଛନ୍ତି ଯେ, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ବି ଭାଗନେବେ ବୋଲି ଖୋଲାଖୋଲି କହୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗାଁରେ ଆଖି ବୁଲାଇ ଆଣିଲେ ଆନ୍ଧ୍ର ସରକାରଙ୍କ ପ୍ରକଳ୍ପ ହିଁ ଦେଖିବାକୁ ମିଳିବ । ଏପରିକି ପ୍ରକଳ୍ପ ଗୁଡିକରେ ତେଲୁଗୁ ଭାଷାରେ ଆନ୍ଧ୍ର ସରକାରଙ୍କ ଅବଦାନ ସଂପର୍କରେ ଉଲ୍ଲେଖ କରାଯାଇଛି । ଅପରପକ୍ଷେ, ଓଡିଶା ସରକାର ସମ୍ପୂର୍ଣ୍ଣ ଭାବେ ନିରବ ରହିଛନ୍ତି ।

Comments (0)
Add Comment