କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁୁବନେଶ୍ୱର : ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡ-୧୯ର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ମାନିବାକୁ ହେବ । ଏଥିସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖି ଏହା କହିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପିର ନେତାମାନେ କକ୍ଷତ୍ୟାଗ କରିଥିଲେ । ବାଚସ୍ପତି ଗୃହକୁ ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ରଖିଥିଲେ ।
କୋଭିଡ ମହାମାରୀ ପ୍ରତି ଗାଁର ପ୍ରତି ବ୍ୟକ୍ତିକୁ ପ୍ରଭାବିତ କରିଛି । ଆମେ ଦୃଢ଼ତାର ସହ ଏହାର ମୁକାବିଲା କରିଛୁ । ଓଡ଼ିଶା କୋଭିଡକୁ ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା କରିଥିଲା । ରାଜ୍ୟରେ ଲକଡାଉନ ଘୋଷଣା କରିଥିଲା । ପରିସ୍ଥିତିର ଆଗୁଆ ଆକଳନ କରି ଆମ ସରକାର ଦୂରଦୃଷ୍ଟିର ସହ ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି । ଜାତୀୟ ସ୍ତରରେ ଲକଡ଼ାଉନ ଘୋଷଣାର ବହୁ ପୂର୍ବରୁ ଆମ ରାଜ୍ୟ ଓଡ଼ିଶା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବରେ ଲକ୍ଷ୍ୟ ଭିତିକ ଲକଡ଼ାଉନ ଘୋଷଣା କରିଥିଲା । ସାରା ରାଜ୍ୟରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ଲାଗୁ କରିଥିଲୁ । କୋଭିଡ ସମୟରେ ସରପଂଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି । କୋଭିଡ ମୁକାବିଲା ପାଇଁ ଓଡିଶା ପ୍ରଶଂସିତ ହୋଇଛି । କୋଭିଡ ସତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ୭.୫ ପ୍ରତିଶତ ରାଜସ୍ୱ ସଂଗ୍ରହ ବଢ଼ିଛି । ଓଡ଼ିଶାର ଆଥିର୍କ ସ୍ଥିତି ଦେଶର ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ମହାମାରୀ ସତ୍ୱେ ଓଡ଼ିଶା ଦେଶର ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥାନ ହୋଇପାରିଛି । ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୧.୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି । ଶ୍ରୀକ୍ଷେତ୍ର ପୁରୀ, ଏକାମ୍ର କ୍ଷେତ୍ର, ସମଲେଶ୍ୱରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି । ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ୭୨୦୦ କୋଟି ଟଙ୍କାର ୨୭ ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ଶତପ୍ରତିଶତ ଘରକୁ ପାଇପ ପାଣି ଯୋଗାଇବାରେ ଭୁବନେଶ୍ୱର ଦେଶର ପ୍ରଥମ ପ୍ରମୁଖ ସହର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments (0)
Add Comment