କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଡିସେମ୍ବର ୪ରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଦେଶର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଆସନ୍ତା ୪ ତାରିଖରେ ଗୃହର ସବୁ ଦଳର ପ୍ରତିନିଧିଙ୍କ ସହ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ କରି ପ୍ରଧାନମନ୍ତ୍ରୀ କରୋନା ପରିସ୍ଥିତି ବିଷୟରେ ପଚାରି ବୁଝିବେ ବୋଲି ଜଣା ପଡ଼ିଛି। କରୋନା ମହାମାରୀ ଆରମ୍ଭରୁ ଥରେ ସ୍ଥିତି ସମୀକ୍ଷା ନେଇ ସର୍ବଦଳୀୟ ବୈଠକ କରାଯାଇଥିବା ବେଳେ ଏହା ହେଉଛି ଦ୍ବିତୀୟ ସର୍ବଦଳୀୟ ବୈଠକ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସଭାରେ ଯୋଗଦେବାର ସମ୍ଭାବନା ରହିଛି। ତେବେ ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ ନା ସବୁ ଦଳର ନେତା ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମୋଦିଙ୍କ ସହ ଆଲୋଚନା କରିବେ, ତାହା ଜଣାପଡ଼ିନାହିଁ। ନଭେମ୍ବର ୨୪ରେ ମୋଦି ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ଥିବା କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ସେ କରୋନା ଟିକାର ଷ୍ଟାଟସ ବିଷୟରେ ବି କଥା ହୋଇଥିଲେ। ଏବେ ମୋଦୀ ସର୍ବଦଳୀୟ ବୈଠକ ଡାକି ତୃଣମୂଳ ସ୍ତରରେ କରୋନା ସ୍ଥିତି, କେମିତି ରହିଛି ତାହା ଜାଣିବାକୁ ଚାହିଁଛନ୍ତି। ଏଥିସହ କରୋନା ଟିକା ସମ୍ପର୍କରେ ମଧ୍ୟ ସେ ସବୁ ଦଳର ନେତାଙ୍କ ସହ କଥା ହେବେ ବୋଲି ମଧ୍ୟ ଜଣାପଡ଼ିଛି। ଦେଶରେ କିଛି ଦିନ ପାଇଁ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେ ଶୀତ ସହ ଅନେକ ସ୍ଥାନରେ ସଂକ୍ରମିିତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ଦିିଲ୍ଲୀ ସମେତ ଅନେକ ସହରରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଦ୍ବିତୀୟ ସର୍ବଦଳୀୟ ବୈଠକ ଡ଼କାଇଛନ୍ତି। ଏହି ବୈଠକରେ ପରିସ୍ଥିତିକୁ କିପରି ନିୟନ୍ତ୍ରଣକୁ ଅଣାଯାଇ ପାରିବ ଏବଂ ପରୀକ୍ଷଣ କରାଯାଉଥିବା କରୋନା ଟିକା ଉପରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି।

Comments (0)
Add Comment