ଗନ୍ଧମାର୍ଦ୍ଧନକୁ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା

ବଲାଙ୍ଗୀର : ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ମିଳିଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ପ୍ରଚୁର ପରିମାଣର ଔଷଧୀୟ ବୃକ୍ଷ ରହିଛି । କାହିଁ କେଉଁ କାଳଠୁ ଏହି ପାହାଡ଼ରେ ଆୟୁବୈଦିକ ଔଷଧୀୟ ଗଛ ସହ ଶହ ଶହ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ରହିଛି । ଏଥିରେ ୧୦୫୫ ପ୍ରଜାତିର ବୃକ୍ଷଲତା ଓ ୫୦୦ ପ୍ରକାରର ପ୍ରାଣୀ ଥିବା ଜଣାପଡ଼ିଛି । ୧୦୫୫ ପ୍ରଜାତିର ବୃକ୍ଷ ମଧ୍ୟରେ ୮୪୯ ପ୍ରକାର ଫୁଲ ଗଛର ସନ୍ଧାନ ମଳିଥିବାବେଳେ ଏଥରେ ବୁଦା ଜାତୀୟ ଗଛ, ଗୁଳ୍ମ ଓ ବିଭିନ୍ନ ପ୍ରକାର ଲତା ସମେତ ପ୍ରାୟ ୩୦୦ ପ୍ରକାର ଔଷଧୀୟ ଗଛ ଥିବା ନେଇ ଜଣାପଡ଼ିଛି । ସେହିପରି ୪୩ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରିସୃୃପ, ୧୧୮ ପ୍ରକାର ପ୍ରଜାପତି, ୮୩ ପ୍ରକାର ବୁଢ଼ିଆଣି ଓ ୧୮ ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ମଧ୍ୟ ଅଛନ୍ତି ।ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଏହି ପର୍ବତରେ ପ୍ରାୟ ୫୦୦ ପ୍ରଜାତିର ଔଷଧୀୟ ଗୁଣଯୁକ୍ତ ଗଛ ଅଛି । ଏହାକୁ ‘ଆୟୁର୍ବେଦର ସ୍ୱର୍ଗ’ ଭାବେ ସ୍ଥାନୀୟ ଲୋକେ ଗ୍ରହଣ କରୁଥିବା ବେଳେ ଅନେକ ରୋଗର ମୁକ୍ତି ପାଇଁ ଏଠାରୁ ଔଷଧ ସଂଗ୍ରହ କରୁଥିବା କହିଛନ୍ତି । ଦିଶାରୀମାନେ ଏଠାରୁ ବିଭିନ୍ନ ଗଛ ଲତା ଆଣି ଲୋକଙ୍କ ଚିକିତ୍ସାରେ ଲଗାଉଛନ୍ତି । ସେହିପରି ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଧନ । ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ରହିଛିା ପ୍ରତିଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ଏଠି ହୁଏ । ବହୁ ବର୍ଷରୁ ଗନ୍ଧମାର୍ଦ୍ଧନକୁ ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା ପାଇଁ ଦାବି ହେଉଥିଲା । ଏହାପୂର୍ବରୁ କନ୍ଧମାଳର ମଣ୍ଡାସୁରୁ ଓ ଗଜପତିର ମହେନ୍ଦ୍ରଗିରିକୁ ମିଳିଛି ଏହି ମାନ୍ୟତା ।

Comments (0)
Add Comment