ଗହୀରମଥାରେ ଅଲିଭରିଡ୍ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି । କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଅଲିଭରିଡ୍ଲେ ଭିଡ ଜମାଇଥିଲେ । ପାଗ ଅନୁକୂଳ ହେଉ ନ ଥିବାରୁ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେଉନଥିଲେ । ଗତ ୯ ତାରିଖଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତକାଲି ସଂଧ୍ୟାରୁ ହଠାତ୍ ଦଳ ଦଳ ହୋଇ କଇଁଛମାନେ ଗହୀରମଥାର ନାସୀ–୨ ବାଲୁକା ଶଯ୍ୟାକୁ ଉଠି ସମୂହ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଆଜି ଭୋର ଯାଏ ଏହି ପ୍ରକ୍ରିୟା ଜାରି ରହିଥିଲା । ୨ ଦିନରେ ୩ ଲକ୍ଷ ୨ହଜାର ୫୮ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପ୍ରଥମ ଦୁଇ ଦିନରେ ଏହି ସଂଖ୍ୟା ଭଲ ଥିବାରୁ ଓ କଇଁଛମାନେ କୂଳରେ ଥିବାରୁ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ ଅଣ୍ତାଦାନ ହେବା ନେଇ ଆଶା ପ୍ରକାଶ ପାଇଛି । କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ଦିନ ଠାରୁ ଗହୀରମଥାର ନାସୀ ଦ୍ୱୀପ ଠାରୁ ଅଳ୍ପ ଦୂରରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ବିରଳ ଅଲିଭରିଡଲେ କଇଂଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩ କିମି ଯାଏ ବାଡ ବୁଜାଯିବା ସହ ବନ କର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି । ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବନବିଭାଗ ରିପୋର୍ଟ ମୁତାବକ ୨୦୧୭–୨୦୧୮ରେ ୬ ଲକ୍ଷ ୬୪ହଜାର ୯୭ କଇଁଛ ଗଣଅଣ୍ତାଦାନ ପକ୍ରିୟାରେ ସାମିଲ ହୋଇଥିବା ବେଳେ ୨୦୧୮–୧୯ରେ ୪ ଲକ୍ଷ ୫୦ ହଜାର ୯୪୯, ୨୦୧୯–୨୦ରେ ୪ ଲକ୍ଷ ୭ହଜାର ୨୦୪ଟି କଇଁଛ, ୨୦୨୦–୨୧ରେ ୩ ଲକ୍ଷ ୪୯ ହଜାର ୬୪୯, ୨୦୨୧–୨୨ରେ ୫ ଲକ୍ଷ୍ୟ ୧ହଜାର ୧୫୭ଟି କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିଲେ ।

Comments (0)
Add Comment