ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷକମାନଙ୍କ ଆନେ୍ଦାଳନ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରିବା ନିମନ୍ତେ ଆଜି ସରକାର ଓ ବିରୋଧୀ ଦଳ ଗୁଡିକ ସହମତି ପ୍ରକାଶ କରିଛନ୍ତି । ତେବେ ଗୃହରେ ୧୫ ଘଂଟା ଧରି ସ୍ୱତନ୍ତ୍ର ଆଲୋଚନା ହେବ ବୋଲି ଜଣାଯାଇଛି । ତେବେ କେବେ ଆଲୋଚନା ହେବ ତାହା ଗୃହର ଅଧ୍ୟକ୍ଷ ନିଷ୍ପତି ନେବେ ।
ଗତ ଶୁକ୍ରବାର ଦିନ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନିମନ୍ତେ ଆଗତ ଧନ୍ୟବାଦ ବିତର୍କ ଶେଷ ହେବା ପରେ ଉକ୍ତ ଆଲୋଚନା ହେବ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଘୋଷଣା କରିବା ପରେ ପୁଣି ରାଜ୍ୟସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଆମ୍ ଆଦ୍ମି ପାର୍ଟିର ତିନିଜଣ ସଦସ୍ୟ ସ୍ଲୋଗାନ୍ ଦେବାରୁ ଆଜିକ ଲାଗି ସେମାନଙ୍କୁ ଗୃହରୁ ବହିଷ୍କାର କରାଯାଇଛି । ଏଭଳି ଗୋଳମାଳିଆ ପରିସ୍ଥିତି ଯୋଗୁଁ ଆଜି ରାଜ୍ୟସଭାକୁ ମୁଲତବୀ ରଖିବାକୁ ଅଧ୍ୟକ୍ଷ ବାଧ୍ୟ ହୋଇଛନ୍ତି । କେବଳ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ୫ ଘଂଟା ଆଲୋଚନା ହେଉ ବୋଲି ୧୬ଟି ବିରୋଧୀ ଦଳ ଦାବି କରିଥିଲେ । ଗୃହର ବିରୋଧୀ ନେତା ତଥା କଂଗ୍ରେସ ସଦସ୍ୟ ଗୁଲାମ ନବି ଆଜାଦ କହିଲେ ସରକାର ଏହି ପ୍ରସ୍ତାବ ଗ୍ରହଣ କରିଥିବାରୁ ଆଲୋଚନା ନିମନ୍ତେ ଆମେ ପ୍ରସ୍ତୁତ । ଯଦି ଧନ୍ୟବାଦ ପ୍ରସ୍ତାବ ଆଗତ ପୂର୍ବରୁ କୃଷକମାନଙ୍କ ସଂକ୍ରାନ୍ତରେ ଆଲୋଚନା ନ ହୁଏ, ଆମର ଅନୁରୋଧ ଏହାର ସମୟସୀମା ଆହୁରି ବୃଦ୍ଧି କରାଯାଉ ।
ତେଣୁ ୫ ଘଂଟା ପରିବର୍ତେ ଏହି ଆଲୋଚନାକୁ ୧୫ ଘଂଟାକୁ ବୃଦ୍ଧି କରିବାକୁ ସରକାର ରାଜି ହୋଇଥିଲେ । ବିରୋଧୀମାନଙ୍କ ଦାବିରେ ସମ୍ମତି ଜଣାଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା ଘୋଷଣା କରିଥିଲେ । କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତ ଆଲୋଚନା ଲାଗି ଦୁଇ ଦିନ ପାଇଁ ଗୃହରେ ପ୍ରଶ୍ନକାଳ ରହିବ ନାହିଁ ଏବଂ ଶୁକ୍ରବାର ଦିନ ପ୍ରାଇଭେଟ୍ ମେମ୍ବର୍ ବିଲ୍ ମଧ୍ୟ ଆଗତ ହେବ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା ।