ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ପାରିତ

ଉମରକୋଟ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସର ଭୂପେଶ ବାଘେଲ ସରକାର ପଦକ୍ଷେପ ନେଇଛନ୍ତି । ଛତିଶଗଡ ବିଧାନସଭା ବୁଧବାର ‘ଛତିଶଗଡ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩’ ପାରିତ କରିଛି । ଯାହା ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବ । ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଏହି ବିଲର ଲକ୍ଷ୍ୟ ରଖିଛି । ଏହାକୁ ଐତିହାସିକ ବିଲ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି । ବିରୋଧୀ ବିଜେପି ବିଧାୟକମାନେ ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପରୀକ୍ଷା ପାଇଁ ପଠାଇବାକୁ ଦାବି କରିଥିଲେ । ଯାହାକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଥିଲେ । ଛତିଶଗଡରେ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଇସ୍ତାହାରରେ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ ଆଣିବାକୁ ପ୍ରତିଶୃତି ଦେଇଥିଲା । ଏହି ବିଲ୍ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ଏହା ସାମ୍ବାଦିକମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବ । ସେହିପରି ଛତିଶଗଡ଼ ସାମ୍ବାଦିକଙ୍କ ସାମଗ୍ରୀକୁ ମଧ୍ୟ ଏହି ଆଇନ ସୁରକ୍ଷା ଦେବାରେ ସହାୟକ ହେବ । ଅନେକ ସମୟରେ ହିଂସା ଓ ଆକ୍ରମଣ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଗଣମାଧ୍ୟମ ସଂସ୍ଥାର କ୍ୟାମେରା, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ । ଆଗକୁ ସାମ୍ବାଦିକମାନେମାନେ ନିର୍ଭୟରେ କାମ କରିପାରିବେ ବୋଲି ସେ କହିଛନ୍ତି । ଏହି ଆଇନ କାର୍ଯ୍ୟକାରୀ କରିବାକୁ ଅନେକ ଥର ଦାବି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୦୧୯ରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଆଫାବ ଆଲାମଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା । ସମସ୍ତ ପକ୍ଷଙ୍କ ପରାମର୍ଶ କ୍ରମେ ଏହି ଆଇନ ପ୍ରସ୍ତୁତ କରାଯାଇଛି ।
ଏହି ଦିନଟି ଐତିହାସିକ ଦିନ ବୋଲି ସେ କହିଛନ୍ତି । ବିରୋଧୀ ଦଳର ନେତା ନାରାୟଣ ଚାନେ୍ଦଲ ଏବଂ ଅଜୟ ଚନ୍ଦ୍ରକରଙ୍କ ସମେତ ବିଜେପି ବିଧାୟକମାନେ ବିଲକୁ ନେଇ ଆପତ୍ତି ଉଠାଇଛନ୍ତି । ବିରୋଧୀ କହିଛନ୍ତି ଯେ, ବିଲ ସମ୍ପର୍କରେ ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମର ସଂପାଦକ, ଏଡ଼ିଟର ଗିଲଡ୍ , ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କିମ୍ବା ପ୍ରେସ କ୍ଲବ ସହ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିନାହାନ୍ତି । ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପଠାଇବାକୁ ସେମାନେ ଦାବି କରିଛନ୍ତି । ଅନ୍ୟପଟେ ସାମ୍ବାଦିକଙ୍କ ସ୍ୱାର୍ଥ ବିରୋଧରେ ଏହି ବିଲକୁ ବିଜେପି ଅଟକାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ବିରୋଧୀ ଦଳର ଦାବିକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି ବିଧାୟକମାନେ କହିଛନ୍ତି ଯେ ସେମାନେ ଏହି ଆଇନକୁ ସମର୍ଥନ କରୁଛନ୍ତି । କିନ୍ତୁ ବିଲ ପାରିତର ତରିକା ଠିକ୍ ନଥିଲା ବୋଲି ସେମାନେ କହିଛନ୍ତି ।

Comments (0)
Add Comment