ଜଙ୍ଗଲି ବାରାହା ଶିକାର କରିଥିବା ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଝରିଗାଁ ବନବିଭାଗ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଏକ ଜଙ୍ଗଲୀ ବାରହା ଶିକାର ସହ କିଣାବିକା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଝରିଗାଁ ବନ ବିଭାଗର ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଜବାଧଡ଼ି ଗ୍ରାମର ମଣୀରାମ ଭତରାଙ୍କ କାଜୁ ବାଡ଼ ଭିତରକୁ ଜଙ୍ଗଲରୁ ଏକ ବାରହା ଗତ ଗୁରୁବାର ଦିନ ଚାଲିଆସିଥିଲା । ଶେଷରେ କାଜୁ ବାଡ଼ରେ ଥିବା କାଦୁଅରେ ଫସି ଯାଇଥିଲା । ବାରହା କାଦୁଅରେ ଫସି ଯିବାର ସୁଯୋଗ ପାଇ ମଣୀରାମ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶିକାର କରିଥିଲା । ଏହି ଖବର ପାଇ ଶୁକ୍ରବାର ପୂର୍ଲା ଧାମନାଗୁଡା ଗ୍ରାମର ହରି ଭତ୍ରା ଜବାଧଡ଼ି ଗ୍ରାମର ମଣୀରାମ ନିକଟକୁ ଯାଇ ୩୦ ହଜାର ଟଙ୍କା ଦେଇ ଶିକାର ହୋଇଥିବା ବାରହାକୁ କିଣିଥିଲା । ଶୁକ୍ରବାର ପୂର୍ଲା ଗ୍ରାମରେ ଶିକାର ହୋଇଥିବା ବାରହାକୁ କାଟି ଭାଗ ଭାଗ କରି ବିକ୍ରି କରୁଥିବା ନେଇ ଝରିଗାଁ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ତନୁଜ କୁମାର ପରିଛା, ଫରେଷ୍ଟଗାର୍ଡ ସସ୍ମିତା ଭତ୍ରା ପ୍ରମୁଖ ସହ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ୭୦ କିଲୋଗ୍ରାମର ବାରହା ମାଂସ ସହ ବ୍ୟବହୃତ ହୋଇଥିବା କିଛି ଜିନିଷ ଜବତ କରିଛି ବନ ବିଭାଗ । ଏହାସହ ବାରହା କିଣିଥିବା ହରି ଭତ୍ରା ମାଂସ କାଟୁଥିବା ପୂର୍ଲା ଗ୍ରାମର ବୈଶାକୁ ଭତ୍ରା ଏବଂ ବାରହା ମାଂସ କିଣି ନେଉଥିବା ପୂର୍ଲା ଡ଼ିଏନକେ ଗ୍ରାମର ସନ୍ଦୀପ ମଣ୍ଡଳକୁ ଗିରଫ କରି ୪ ଜଣ ଅଭିଯୁକ୍ତକୁ ବନ୍ୟଜନ୍ତୁ ଶିକାର ସହ କିଣା ବିକା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି ।

Comments (0)
Add Comment