ଭୁବନେଶ୍ୱର: ରାଜ୍ୟରେ ଗତ ୧୫ ଦିନ ଧରି ୯୧୮ଟି ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ପରିସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ତେବେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶାନୁସାରେ ଗଠିତ ଏହି ଟାସ୍କଫୋର୍ସର ନାମ ‘ଫରେଷ୍ଟ ଫାୟାର ମ୍ୟାନେଜମେଂଟ’ ଟାସ୍କଫୋର୍ସ ରଖାଯାଇଛି ।
ଏଥିରେ ଅଧ୍ୟକ୍ଷଙ୍କ ସମେତ ୯ଜଣ ସଦସ୍ୟ ଅଛନ୍ତି । ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନ୍ର ଆଇସିଏଫ୍ଆରଇ ଡିଜିଙ୍କ ପ୍ରତିନିଧି, ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ ।
ଏହି ଟାସ୍କ ଫୋର୍ସ ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଉପାୟ ନେଇ ସୁପାରିସ୍ କରିବ ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ । ଜୈବ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି । ସବୁଠାରୁ ବଡ କଥା ହେଲା କି, ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହି ଫରେଷ୍ଟ, ଫାୟାର ମ୍ୟାନେଜମେଂଟ’ର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବବିବିଧତାକୁ ନେଇ ସମ୍ମିଳନୀ କରିବେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଜଙ୍ଗଲ ନିଆଁ ସମ୍ପର୍କରେ ପ୍ରତିଦିନ ରିପୋର୍ଟ ଦେବାଲାଗି ରାଜ୍ୟ ସରକାର ସମସ୍ତ ଡିଏଫଓମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟା ୬ଟା ମଧ୍ୟରେ ଡିଏଫଓ ମାନେ ଜଙ୍ଗଲର ନିଆଁ ଏବଂ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ, ଆରସିସିଏଫ ଏବଂ ପିସିସିଏଫଙ୍କୁ ରିପୋର୍ଟ ଦେବ । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ନିୟନ୍ତ୍ରଣ କରିବାପାଇଁ ୧୧ଶହରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ସୂଚନା ଯୋଗ୍ୟ ଯେ,ପ୍ରାୟ ୨ସପ୍ତାହ ହେବ ନିଆଁରୁ ଆଁରେ ଫସି ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ । ଯେଉଁ ଅନୁପାତରେ ନିଆଁ ଲିଭୁଛି ତା’ଠୁ ଅଧିକ ବେଗରେ ପୁଣି ନିଆଁ ବ୍ୟାପୁଛି । ଏହି ବିପତିର ଅନ୍ତ ଘଟିବା ନାଁ ଧରୁନି । ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ । ଉଜୁଡି ଯାଉଛି ସବୁଜିମା । ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡିଯାଇଛନ୍ତି ବନ୍ୟପ୍ରାଣୀ । ତା ସହ ବହୁ ଔଷଧୀୟ ବୃକ୍ଷରାଜି ବି ନଷ୍ଟ ହେବାରେ ଲାଗିଛି । ନିଆଁକୁ ଆୟତ ପାଇଁ ବନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ବି ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଡେଇଁ ଚାଲିଛି ବେକୁବୁ ନିଆଁ । କେବଳ ଶିମିଳିପାଳ କାହିଁକି, ତିନିକୋଶିଆ ଏବଂ କୁଳଡିଆ ଅଭୟାରଣ୍ୟରେ ବି ଜାରି ରହିଛି ଅଗ୍ନିର ତାଣ୍ଡବ । ଏଠି ବି ସେହି ସମାନ ଦଶା । ବହୁମୁଲ୍ୟ ଗଛଲତା ସବୁ ଜଳିପୋଡି ଛାରଖାର ହୋଇଗଲାଣି । ଏଣେ ଖୋଦ୍୍ ଜଙ୍ଗଲମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ଅଞ୍ଚଳରେ ଛାରଖାର ହେବାକୁ ବସିଲାହଣି ଜଙ୍ଗଲ । ଗତ ୫ଦିନ ହେଲା ଉତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ପ୍ରାୟ ୬ଟି ବନାଞ୍ଚଳ ଜଙ୍ଗଲ ଜଳୁଛି । ଫଳରେ ଜନବସତି ଅଞ୍ଚଳକୁ ଘେରିଗଲାଣି ବନାଗ୍ନି ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ କହୁଛି, ଆଜି ସାରାଦେଶର ରେକର୍ଡ ଭାଙ୍ଗିଛି ଓଡିଶାର ବନାଗ୍ନି । କେବଳ ଶିମିଳିପାଳ କି ଭଞ୍ଜନଗର ନୁହେଁ, ରାଜ୍ୟର ମୋଟ ୯୧୮ଟି ଜଙ୍ଗଲରେ ଆଜି ଜଳୁଛି ସର୍ବଗିଳା ନିଆଁ । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ୨୬ଟି ଜିଲ୍ଲାରେ କେଉଁଠି ନା କେଉଁଠି ଜଳୁଛି ଜଙ୍ଗଲ । ତା ମଧ୍ୟରୁ ନୂଆପଡା, କଳାହାଣ୍ଡି, ରାୟଗଡା, ସୁନ୍ଦରଗଡ, କନ୍ଧମାଳ, ଗଜପତି ଓ ମୟୁରଭଞ୍ଜରେ ପ୍ରକୋପ ଅଧିକ ରହିଛି ।