ଜରୁରୀକାଳୀନ ପରିସ୍ଥିତି ଜାରି ଥିଲା ଭୁଲ୍ ନିଷ୍ପତ୍ତି: ରାହୁଲ୍

ନୂଆଦିଲ୍ଲୀ : ୧୯୭୫ ମସିହାରେ କଂଗ୍ରେସ ଦେଶରେ ଜାରି କରିଥିବା ଜରୁରୀକାଳୀନ ପରିସ୍ଥିତି ଥିଲା ଏକ ଭୁଲ୍ ନିଷ୍ପତ୍ତି ଥିଲା । କିନ୍ତୁ ଦଳ କେବେ ଭାରତର ସାମ୍ବିଧାନିକ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଉଦ୍ୟମ କରି ନ ଥିଲା ବୋଲି ରାହୁଳ ଗାନ୍ଧୀ କହିଛନ୍ତି ।
ଜେଜୀମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାରି କରିଥିବା ‘ଜରୁରୀକାଳୀନ ପରିସ୍ଥିତି’ ଭୁଲ୍ ନିଷ୍ପତ୍ତି ବୋଲି କହିବା ସହ ରାହୁଲ୍ ଗାନ୍ଧୀ କହିଛନ୍ତି ଯେ, ସମ୍ପ୍ରତି ଭାରତରେ ଯାହା ଚାଲିଛି ତାହା ଜରୁରୀ ପରିସ୍ଥିତି ଠାରୁ ମୂଳତଃ ଭିନ୍ନ । ସେ ଅଭିଯୋଗ କରିଛନ୍ତି ଯେ, ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ (ଆର୍ରଏସ୍ଏସ୍) ଦେଶର ସ୍ୱାଧୀନ ଅନୁଷ୍ଠାନଗୁଡ଼ିକୁ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି ।
‘କର୍ଣ୍ଣେଲ୍ ୟୁନିଭର୍ସିଟି’ର ପ୍ରଫେସର୍ର କୌଶିକ ବସୁଙ୍କ ସହ ‘ଭର୍ଚ୍ୟୁଆଲ୍’ ଆଲୋଚନା ସମୟରେ ରାହୁଲ୍ ଗାନ୍ଧୀ ଉପରୋକ୍ତ କଥା କହିଛନ୍ତି । ସେ କହିଛନ୍ତି, ମୋ ବିଚାରରେ ତାହା (ଜରୁରୀ ପରିସ୍ଥିତି) ଥିଲା ଗୋଟାଏ ଭୁଲ୍ ନିଷ୍ପତ୍ତି । ନିଃସନେ୍ଦହ, ତାହା ଥିଲା ଭୁଲ୍ ନିଷ୍ପତ୍ତି । ଭୁଲ୍ ନିଷ୍ପତ୍ତି ଥିବା ସେହି ଜରୁରୀ ପରିସ୍ଥିତିରେ ଯାହା ଘଟିଥିଲା ଏବଂ ସମ୍ପ୍ରତି ଯାହା ଘଟୁଛି, ସେଥିରେ ମୌଳିକ ପାର୍ଥକ୍ୟ ରହିଛି । କଂଗ୍ରେସ ପାର୍ଟି କଦାପି ଭାରତର ସାମ୍ବିଧାନିକ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ଉଦ୍ୟମ କରିନାହିଁ । ଆମର ନୀତି ଆମକୁ ତାହା କରାଇ ଦିଏନାହିଁ । ଆମେ ସେମିତି କରିବାକୁ ଚାହିଁଲେ ବି କରିପାରିବୁ ନାହିଁ । ଜରୁରୀ ପରିସ୍ଥିତି ଜାରି ଘଟଣାକୁ ‘ପ୍ରମାଦ’ ବା ‘ଭୁଲ୍’ ବୋଲି ସର୍ବସାଧାରଣରେ ଅଭିହିତ କରିବା ଗାନ୍ଧୀ ପରିବାରର ସଦସ୍ୟଙ୍କ କ୍ଷେତ୍ରରେ ଏହା ଏକ ବିରଳ ଦୃଷ୍ଟାନ୍ତ । ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ‘ଜରୁରୀ ପରିସ୍ଥିତି ଜାରି’ ଘଟଣାକୁ ଭୁଲ୍ ବୋଲି କହି ରାହୁଲ୍ ଗାନ୍ଧୀ କ୍ଷମା ମାଗିଥିଲେ ।
‘ବିଜେପି-ଆର୍ରଏସ୍ଏସ୍’କୁ ସମାଲୋଚନା କରି ରାହୁଲ୍ ଗାନ୍ଧୀ କହିଛନ୍ତି, ବିଭିନ୍ନ ଅନୁଷ୍ଠାନରେ ସେମାନେ ନିଜ ଲୋକମାନଙ୍କୁ ଭର୍ତ୍ତି କରୁଛନ୍ତି । ଆମେ ନିର୍ବାଚନରେ ବିଜେପିରକୁ ପରାସ୍ତ କଲେ ମଧ୍ୟ, ଆନୁଷ୍ଠାନିକ ବ୍ୟବସ୍ଥାରେ ଆମେ ସେମାନଙ୍କ ଲୋକମାନଙ୍କୁ ଅପସାରଣ କରୁନାହିଁ । ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ଦେଶର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଆନୁଷ୍ଠାନିକ ସନ୍ତୁଳନକୁ ନେଇ ଆଧୁନିକ ଗଣତନ୍ତ୍ର କାର୍ଯ୍ୟ କରିଥାଏ । ଭାରତରେ ସେହି ସ୍ୱାଧୀନତା ଉପରେ ଆକ୍ରମଣ ହେଉଛି । ‘ଆଏସ୍ଏସ୍’ ନାମକ ବଡ଼ ଅନୁଷ୍ଠାନଟି ସମସ୍ତ ଅନୁଷ୍ଠାନର ଅଭିଭାବକତ୍ୱ କରୁଛି । କୌଣସି ଗୋଟିଏ ଅନୁଷ୍ଠାନ ଏହି ଆକ୍ରମଣରୁ ବାଦ ପଡ଼ିନାହିଁ । ସୁବ୍ୟବସ୍ଥିତଭାବେ ଆକ୍ରମଣ କରାଯାଉଛି । ସେ ଆହୁରି ମଧ୍ୟ କହିଲେ ଯେ, ନ୍ୟାୟପାଳିକା, ଗଣମାଧ୍ୟମ, ଅମଲାତନ୍ତ୍ର, ନିର୍ବାଚନ କମିସନ୍ର ଆଦି ଅନୁଷ୍ଠାନରେ ନିର୍ଦ୍ଧିଷ୍ଟ ଆଦର୍ଶବାଦ ଏବଂ ନିର୍ଦ୍ଧିଷ୍ଟ ଅନୁଷ୍ଠାନର ବ୍ୟକ୍ତିମାନଙ୍କୁ ସୁବ୍ୟବସ୍ଥିତ ଭାବେ ଭର୍ତ୍ତି କରାଯାଇଛି ।

Comments (0)
Add Comment