ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ଆଜି ଏକ ସେନା ଟ୍ରକରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ଜଣ ଯବାନ ସହିଦ ହୋଇଥିଲା ବେଳେ ଆଉ କେତେକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ଆର୍ମି ହସ୍ପିଟାଲରେ ଭର୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ସେନା ବିଭାଗର ପଦସ୍ଥ ଅଧିକାରୀ ଓ ପୋଲିସ ପହଂଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ୱାରୀ) ନିର୍ଦେଶ ଦିଆଯାଇଛି । ଦୁର୍ଘଟଣାଟି ରାଜୌରି-ପୁଞ୍ଚ୍ ଜାତୀୟ ରାଜପଥର ତୋତା ଗାଲି ଅଂଚଳରେ ହୋଇଥିବା ଜଣାଯାଇଛି । ଟ୍ରକରେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ବଜ୍ରପାତ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଉକ୍ତ ଅଂଚଳରେ ଗତ କିଛି ଦିନ ଧରି ପାଗ ଖରାପ ଥିଲା ଓ ବର୍ଷା ହେଉଥିଲା । ଏଣୁ ବଜ୍ରପାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ରାଜସ୍ଥାନର ଉଦୟପୁରରେ ଏକ ସେନା ଗାଡିରେ ଅଗ୍ନିକାଣ୍ଡ ଘଟିଥିଲା ।