ଟିଟିପିଏସ୍କୁ ବନ୍ଦ ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’କୁ ବନ୍ଦ ନ କରି ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’କୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ‘ଏନ୍ଟିପିସି’କୁ ନିଦେ୍ର୍ଧଶ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ଓ ନୂତନ ଏବଂ ଅକ୍ଷୟ ଶକ୍ତି ତଥଶ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଆର୍,କେ. ସିଂହଙ୍କୁ ଏକ ପତ୍ର ଲେଖିଛନ୍ତି ।
ମାର୍ଚ୍ଚ ୨୨ତାରିଖ ଦିନ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି , ତାଳଚେର ଥର୍ମାଲ୍ ପାୱାର୍ ଷ୍ଟେସନ୍’ର ‘ଷ୍ଟେଜ୍-୩ ସମ୍ପ୍ରସାରଣ ପ୍ରକଳ୍ପ’କୁ ରାଜ୍ୟ ସରକାର ୨୦୨୦ ଫେବ୍ରୁଆରିରେ ଅନୁମୋଦନ କରିଛନ୍ତି । କିନ୍ତୁ, ‘ଏନ୍ଟିପିସି’ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିନାହିଁ । ଏହାଛଡା, ୨୦୨୧ ମାର୍ଚ୍ଚ ୩୧ରୁ ‘ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’କୁ ବନ୍ଦ କରିବାକୁ ଗ୍ରହଣ କରାଯାଇଥିବା ନିଷ୍କତି ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ଉପରେ ଭୀଷଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ପକାଇବ ।
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’ ହେଉଛି ଦେଶର ଅନ୍ୟତମ ସର୍ବପୁରାତନ ତାପଜ ବିଦ୍ୟୁତ୍ କେନ୍ଦ୍ର । ଓଡିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରର ଷ୍ଟେଜ୍-୧ (୨୪୦ ଏମ୍ଡବ୍ଲୁ) ୧୯୬୮ରେ ଏବଂ ୧୯୮୨ରେ ଷ୍ଟେଜ୍-୨ (୨୨୦ଏମ୍ଡବ୍ଲୁ) ଚାଲୁ ହୋଇଥିଲା । ପରେ ୧୯୯୫ରେ ଏହା ‘ଏନ୍ଟିପିସି’ ଅଧୀନକୁ ଚାଲିଯାଇଥିଲା ।
୨୦୧୦ରେ ଏହି କେନ୍ଦ୍ରର ସାମର୍ଥ୍ୟ ସମ୍ପ୍ରସାରଣ ପାଇଁ ‘ଏନ୍ଟିପିସି’ ପ୍ରସ୍ତାବ ଦେଇ ୬୬୦ ମେଗାୱାଟ୍ବିଶିଷ୍ଟ ଦୁଇଟି ୟୁନିଟ୍ ଆରମ୍ଭ କରିବାକୁ ନିଷ୍ପତି ନେଇଥିଲା । ୬୬୦ ମେଗାୱାଟ୍ ଲାଗି ରାଜ୍ୟ ପରିକଳ୍ପିତ ଏଜେନ୍ସି ‘ଗ୍ରିଡକୋ ଲିମିଟେଡ୍’ ୨୦୧୦ ଡିସେମ୍ବରରେ ତୁରନ୍ତ ‘ପାୱାର୍ ପର୍ଚେଜ୍ ଏଗ୍ରିମେଂଟ’ ସ୍ୱାକ୍ଷର କରିଥିଲା ।
ତେଣୁ, ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର’ କୁ ବନ୍ଦ ନ କରି ଯଥାଶୀଘ୍ର ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’ କାର୍ଯ୍ୟକାରୀ କରିବା ନିମନ୍ତେ ‘ଏନ୍ଟିପିସି’କୁ ନିଦେ୍ର୍ଧଶ ଦେବା ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

Comments (0)
Add Comment