କୋରାପୁଟ : ଦୁଇଦିନ ତଳ ରାତିରେ ଗୁରୁତର ଭାବେ ଥିବା ଗୋଟିଏ ଶିଶୁକୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ତାହାର ମୃତ୍ୟୁ ହୋଇଯାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ ଉଠାଇଛନ୍ତି। ଏହି ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିସନରେ ମାମଲା ରୁଜୁ କରିଛନ୍ତି ମାନବିକ ଅଧିକାର କର୍ମୀ ଅନୁପ ପାତ୍ର । ସୂଚନା ଅନୁଯାୟୀ, ଜୟପୁର ବ୍ଲକର ଛାତଡିପୁଟ ଗାଁର ଗୋବିନ୍ଦ ହାଲବାଙ୍କ ୯ମାସର ପୁଅ ଗତ ଶୁକ୍ରବାର ରାତିରେ ଝାଡ଼ାବାନ୍ତି ହୋଇଥିଲା। ରାତି ୧୧ଟା ବେଳେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ସେମାନେ ଭର୍ତ୍ତି କରିଥିଲେ। ତେବେ ଶିଶୁଟିକୁ ତଳେ ଶଯ୍ୟା ଦିଆଯାଇଥିଲା। ଶିଶୁଟିକୁ ଆଡମିସନ କରିବା ସମୟରେ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ। ଏହାପର ଠାରୁ କୌଣସି ଡାକ୍ତର କିମ୍ବା କର୍ମଚାରୀ କେହି ବି ଥରେ ଆସି ଦେଖିବା କିମ୍ବା ସାଲେଇନ୍, ଇଞ୍ଜେକ୍ସନ କିମ୍ବା ଔଷଧ ଦେଇ ନଥିବା ଗୋବିନ୍ଦ ଓ ଶିଶୁର ଦାଦା ବଳଦେବ ଅଭିଯୋଗ କରିଛନ୍ତି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଶିଶୁଟି ନ ପାଇବା ଫଳରେ ସକାଳ ବେଳେ ତାହାର ମୃତ୍ୟୁ ହୋଇଥିଲା। ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ଅବହେଳାରୁ ହିଁ ଶିଶୁର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଶିଶୁ ମୃତ୍ୟୁ ପଛରେ ଡାକ୍ତରଖାନାର କର୍ମଚାରୀ ଓ ଡାକ୍ତରଙ୍କ ଅବହେଳା ରହିଥିବାରୁ ମୃତ ଶିଶୁ ବାବଦକୁ କ୍ଷତିପୁରଣ ଦେବା ସହ ଡାକ୍ତରଖାନାର କର୍ମଚାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମାନବିକ ଅଧିକାର କର୍ମୀ।