ନୂଆଦିଲ୍ଲୀ: ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ  । ସେହିପରି ନାଗାଲାଣ୍ଡରେ ବି ବିଜେପି ସରକାର ଗଢିବ  । ମାତ୍ର ମେଘାଳୟରେ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି  ।ସର୍ବଶେଷ ରିପୋର୍ଟ ଅନୁସାରେ ତ୍ରିପୁରାରେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର ଥିବାବେଳେ ବିଜେପି ୩୪ଟି ଆସନରେ ଆଗୁଆ ରହିଛି  । ବିରୋଧୀ ବାମ ଓ କଂଗ୍ରେସ ମେଣ୍ଟ ୧୪ଟି ଆସନରେ  ଆଗୁଆ ରହିଥିଲା ବେଳେ ତିପ୍ରା ପାଟି ୧୨ଟି ଆସନରେ ଆଗୁଆ ରହିଛି  ।ସେହିପରି ନାଗାଲାଣ୍ଡରେ ବି ସ୍ଥିତି ବିଜେପି ସପକ୍ଷରେ ରହିଛି  । ରାଜ୍ୟ ବିଧାନସଭାରେ ମୋଟ ୬୦ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର  । ବିଜେପି ମେଣ୍ଟ ୩୭ଟି ଆସନରେ ବିଜୟ ହାସଲ କରି ସରକାର ଗଢିବା ନିଶ୍ଚିତ କରିଛି  । ରାଜ୍ୟରେ ଏନପିପି ୪ଟି ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ  । ଅନ୍ୟପକ୍ଷରେ ମେଘାଳୟରେ କୌଣସି ଗୋଟିଏ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବା ସମ୍ଭାବନା ନାହିଁ  । ତେବେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୭ଟି ଆସନରେ  ଆଗୁଆ ରହିଛି  । ବିଜେପି ମାତ୍ର ୨ଟି ଆସନରେ ବିଜୟ ହାସଲ କରିଛି  । ରାଜ୍ୟରେ ଏବେ ଏନପିପି ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି  । ଉଭୟ ଦଳ ପୁଣି ମେଣ୍ଟ କଲେ ବି ସରକାର ଗଢିବାକୁ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ୟକ  । ସଂଗୃହୀତ ସଦ୍ୟତମ ସୂଚନା ଅନୁସାରେ, ନାଗାଲାଣ୍ଡ୍ର ୬୦ଟି ଆସନରୁ ‘ବିଜେପି ଓ ‘ଏନ୍ଡିପିପି’ ୩୯ଟି, ‘ଏନ୍ପିଏଫ୍’ ୧ଟି ଏବଂ ଅନ୍ୟାନ୍ୟ ୨୦ଟି ଆସନରେ ଅଗ୍ରଣୀ ଅଛନ୍ତି ।  ନାଗାଲାଣ୍ଡରେ  ‘ବିଜେପି’ ନେତୃତ୍ୱାଧୀନ ମେଣ୍ଟ ଅନାୟାସରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇସାରିଛି ।
 ମେଘାଳୟର ୬୦ ଆସନରୁ ଭୋଟ ଗ୍ରହଣ କରାଯାଇଥିବା ୫୯ଟି ଆସନରୁ ମୁଖ୍ୟମନ୍ତ୍ରୀ  ସାଙ୍ଗମାଙ୍କ  ଦଳ   ‘ଏନପିପି’  ୨୬ଟି, ‘ୟୁଡିପି’ ୧୦ଟି, କଂଗ୍ରେସ ୫ଟି, ‘ବିଜେପି’ ୩ଟି, ତୃଣମୂଳ କଂଗ୍ରେସ ୫ଟି ଏବଂ ଅନ୍ୟମାନେ ୧୦ଟି ଆସନରେ ଅଗ୍ରଣୀ ଅଛନ୍ତି । ସେହିପରି, ତ୍ରିପୁରାର ୬୦ ଆସନରୁ ‘ବିଜେପି’ ୩୪ଟି, କଂଗ୍ରେସ+ବାମଦଳ ୧୪ଟି ଏବଂ ‘ଟିଆଇପିଆରଏ’ ୧୨ଟି ଆସନରେ ଅଗ୍ରଣୀ ଅଛନ୍ତି ।