ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ କଥାବାର୍ତ୍ତା କରିବେ। ସେ ମଧ୍ୟ ସେହି ଦେଶଗୁଡ଼ିକର ଉଦ୍ୟୋଗପତି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିବେ। ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି, କୋଭିଡ ୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି ପାଇଁ ସେ ସଂପୃକ୍ତ ଦେଶଗୁଡ଼ିକ ସହ ଆଲୋଚନା କରିବେ। ମନ୍ତ୍ରଣାଳୟ କହିଛି ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ୍ ସହ ଭାରତର ସଂପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଓ ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଏହିସବୁ ଦେଶଗୁଡ଼ିକର ଆଭିମୁଖ୍ୟ ସମାନ। ମନ୍ତ୍ରଣାଳୟ କହିଛି, ଭାରତର ସେହିସବୁ ଦେଶଗୁଡ଼ିକ ସହ ଘନିଷ୍ଠ ବାଣିଜ୍ୟିକ ସଂପର୍କ ରହିଛି ଓ ପୁଞ୍ଜିନିବେଶ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିଛି। ଭାରତ ମଧ୍ୟ ଏହିସବୁ ଦେଶଗୁଡ଼ିକ ସହ ବହୁରାଷ୍ଟ୍ରୀୟ ସ୍ତରରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛି। ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକରେ ବ୍ୟାପକ ସଂସ୍କାର, ସେଗୁଡ଼ିକର ସଂପ୍ରସାରଣ ଏବଂ ଏକ ଅବାଧ, ମୁକ୍ତ, ଓ ସାମୂହିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାର ପୂରଣ ଦିଗରେ ଏହି ରାଷ୍ଟ୍ରମାନଙ୍କର ସହଯୋଗ ଏକାନ୍ତ କାମ୍ୟ। ବୈଦେଶିକ ସଚିବଙ୍କର ଏହି ଗସ୍ତ ଆନ୍ତର୍ଜାତିକ ସ୍ତରରେ କୁଟନୈତିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ଉଦ୍ୟମର ଏକ ଅଂଶବିଶେଷ।