ଦିନକରେ ଗଲା ୪୧୮୭ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ଆଜି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଜି ଦିନକରେ ଦେଶରେ ୪୧୮୭ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୪ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ଲକ୍ଷ ଟପିଥିବା ବେଳେ ଆଜି ୪,୦୧,୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୨,୩୮,୨୭୦ରେ ପହଞ୍ଚିଛି । ସେହିପରି ସମୁଦାୟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୨,୧୮,୯୨,୬୭୬ ହୋଇଛି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୪,୦୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୪୮,୭୮୧, କେରଳରେ ୩୮,୪୬୦ ଜଣ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୪ ଘଂଟା ମଧ୍ୟରେ ୮୯୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେହିଭଳି କର୍ଣ୍ଣାଟକ୍‌ରେ ୫୯୨ ଓ ଉତରପ୍ରଦେଶରେ ୩୭୨ ଜଣଙ୍କର ପ୍ରାଣହାନି ଘଟିଛି । ଏଭଳି ପରିସ୍ଥିତିରେ ଦେଶରେ ଟିକାଦାନ ହାର ହ୍ରାସ ପାଇବାରେ ଲାଗିଛି । ଆବଶ୍ୟକ ପରିମାଣରେ କୋଭିଡ୍ ଟିନା ଉତ୍ପାଦନ ହୋଇନପାରିବା କାରଣରୁ ଦେଶର ବିଭିନ୍ନ ଭାଗରେ ଟିକାଦାନ ବନ୍ଦ ରଖିବାକୁ କର୍ତୃପକ୍ଷ ବାଧ୍ୟ ହୋଇଛନ୍ତି ।
ଗତକାଲି ସୁଦ୍ଧା ଭାରତରେ ଯେତିକି ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ପ୍ରାୟ ୨୨.୭% ସଂକ୍ରମିତ ଚିହ୍ନଟ କରାଯାଇଛି । ଅର୍ଥାତ୍ ନମୁନା ପରୀକ୍ଷା କରାଯାଉଥିବା ପ୍ରତି ପାଞ୍ଚଜଣ ମଧ୍ୟରେ ଜଣେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ୨୪ ଟି ରାଜ୍ୟରେ ସଂକ୍ରମଣ ହାର ୧୫%କୁ ଟପିଯାଇଛି । ସେହିଭଳି ୯ଟି ରାଜ୍ୟରେ ଏହା ୫%ରୁ ୧୫% ଏବଂ ତିନିଟି ରାଜ୍ୟରେ ୫%ରୁ କମ୍ ରହିଛି । ଗୋଆରେ ସଂକ୍ରମଣ ହାର ସର୍ବାଧିକ ୪୮,୫% ରହିଥିବା ବେଳେ ହରିଆଣାରେ ୩୬.୧% ଏବଂ ପୁଡୁଚେରୀରେ ୩୪.୯% ରହିଛି ।

Comments (0)
Add Comment