ଦୁର୍ବଳ ହେଉଛି ଦ୍ୱିତୀୟ ଲହର, ମୃତ୍ୟୁ ସଂଖ୍ୟା ଉଦବେଗଜନକ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ କ୍ରମଶଃ ଦୁର୍ବଳ ହେଉଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ଉଦ୍‌ବେଗ ଜନକ ରହିଛି । ବିଭିନ୍ନ ରାଜ୍ୟର ଲକଡାଉନ ଏବଂ ସଟଡାଉନ ଲାଗୁର ପ୍ରଭାବ ଯୋଗୁଁ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଥମୁନାହିଁ ।
ଦେଶରେ ୨୪ ଘଣ୍ଟାରେ ୭୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୩୧ ପରେ ପ୍ରଥମ ଥର ପାଇଁ ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ୪ ହଜାର ପାଖାପାଖି ରହିଛି । ବିଭିନ୍ନ ରାଜ୍ୟ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ସଂଶୋଧନ କରୁଥିବାରୁ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ସୂଚନା ରହିଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବା ପରେ ୧୨ ଦିନରେ ୮ ହଜାରରୁ ଅଧିକ ମୃତ୍ୟୁ ସଂଖ୍ୟା ବଢ଼ିଛି । ସୋମବାର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା ୭୦ ହଜାର ୪୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୩ ହଜାର ୯୨୧ ରହିଛି । ସେହିପରି ୧ ଲକ୍ଷ ୧୯ ହଜାର ୫୦୧ ଜଣ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି । ଏବେ ଦେଶରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୧୦ ଲକ୍ଷ ତଳେ ରହିଛି । ମୋଟ୍ ଉପରେ ୯ ଲକ୍ଷ ୭୩ ହଜାର ୧୫୮ ଜଣ ଚିକିତ୍ସାଧୀନ ରହିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଏବେ ୨,୯୫,୧୦,୪୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୭୪ ହଜାର ୩୦୫ ଜଣ ମୋଟ୍ କରୋନାର ଆଁରେ ଆଖି ବୁଜିଛନ୍ତି । ଏବେ ଦେଶରେ ଦୈନିକ ପଜିଟିଭିଟି ହାର ୪.୭୧ ପ୍ରତିଶତ ରହିଛି । ସପ୍ତାହେ ହେବ ଦୈନିକ ସଂକ୍ରମଣ ୫ ପ୍ରତିଶତରୁ ତଳେ ରହିଛି ।

Comments (0)
Add Comment