ଦେଶବ୍ୟାପୀ ଦୁଇଦିନିଆ ବ୍ୟାଙ୍କ୍‌ ଧର୍ମଘଟ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦୁଇଦିନିଆ ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ବ୍ୟାଙ୍କ୍‌ ଧର୍ମଘଟ କାରଣରୁ ‘ଚେକ୍‌ କ୍ଲିଅରାନ୍ସ’ ସମେତ ଅନ୍ୟାନ୍ୟ ବ୍ୟାଙ୍କ୍‌ ସେବା ପ୍ରଭାବିତ ହୋଇଛି। ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‌କୁ ଘରୋଇକରଣ କରାଯିବା ପ୍ରସ୍ତାବକୁ ବିରୋଧ କରି ବ୍ୟାଙ୍କ୍‌ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି।

ଗତ ମାସରେ ଉପସ୍ଥାପିତ କେନ୍ଦ୍ର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ‘ଡିସ୍‌ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ପ୍ଲାନ୍‌’ର ଅଂଶବିଶେଷ ଭାବେ ଦୁଇଟି ରାଷ୍ଟ୍ରାୟତ ବ୍ୟାଙ୍କ୍‌କୁ ଘରୋଇକରଣ କରିବା କଥା ଘୋଷଣା କରିଥିଲେ।

‘ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍‌ସ୍‌’ (ୟୁଏଫ୍‌ବିୟୁ) ଅଧୀନରେ ୯ଟି ବ୍ୟାଙ୍କ୍‌ ସଂଘ ଆଜି ଓ ଆସନ୍ତାକଲି ପର୍ଯ୍ୟନ୍ତ ହେବାକୁ ଥିବା ଏହି ଧର୍ମଘଟରେ ଅଂଶ ଗ୍ରହଣ କରିଛନ୍ତି। ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ୍‌ କର୍ମଚାରୀ ଓ ଅଧିକାରୀମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।

କିନ୍ତୁ, ‘ଆଇସିଆଇସିଆଇ ବ୍ୟାଙ୍କ୍‌’, ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’ ଏବଂ ‘ଏକ୍ସିସ୍‌ ବ୍ୟାଙ୍କ୍‌’ ଭଳି ଘରୋଇ ବ୍ୟାଙ୍କ୍‌ ସବୁ ଏହି ଧର୍ମଘଟରେ ସାମିଲ ହୋଇ ନାହାନ୍ତି।

Comments (0)
Add Comment