ଦେଶରେ ଦୈନିକ ସଂକ୍ରମଣ ୪୦% ବୃଦ୍ଧି : ୪୨ହଜାର ନୂଆ ମାମଲା

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ଧରି ଦେଶରେ ସଂକ୍ରମଣ ମାମଲା କମ୍ ରହିବା ପରେ ଏବେ ପୁଣି ବୃଦ୍ଧି ହୋଇଛି । ଦ୍ୱିତୀୟ ଲହର ଶୀର୍ଷ ସମୟ ପରେ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି । ଦୌନିକ ସଂକ୍ରମଣରେ ଗତକାଲି ତୁଳନାରେ ଆଜି ୪୦ ପ୍ରତିଶତ ବୃଦ୍ଧି ଚିନ୍ତାର କାରଣ ହୋଇଛି । କେରଳରେ ସ୍ଥିତି ଅତି ଉଦ୍‌ବେଗଜନକ ହେଲାଣି । ଅନ୍ୟପକ୍ଷେ ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ବି ସଂକ୍ରମଣ ଅଧିକ ରହିଛି । ଉତ୍ତରାଖଣ୍ଡ ଏବଂ ହିମାଚଳରେ ସାପ୍ତାହିକ ହାରାହାରି ସଂକ୍ରମଣରେ ପ୍ରାୟ ୭୫ ପ୍ରତିଶତ ବୃଦ୍ଧି ପାଇଛି । ଜୁଲାଇ ୨୨ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ୭ ଦିନ ଧରି ହାରାହାରି ଦୌନିକ ସଂକ୍ରମଣ ୩୭,୯୭୫ ଥିଲା କିନ୍ତୁ ଅଗଷ୍ଟ ୩ ରେ ଶେଷ ହୋଇଥିବା ସପ୍ତାହରେ ପ୍ରତିଦିନ ହାରାହାରି ଦୌନିକ ସଂକ୍ରମଣ ୪୦,୭୧୦ ରହୁଥିଲା । ଜାତୀୟ ପଜିଟିଭ୍ ହାର ମଧ୍ୟ ଗତ ୨ ସପ୍ତାହରେ ୨ ପ୍ରତିଶତରୁ ୨.୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ଦେଶରେ ଆଜି ୪୨,୬୨୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୬୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ଦେଶରେ ସଂକ୍ରମଣ ମାମଲା ୩୦,୫୪୯ ଥିବା ବେଳେ ଏଭଳି ଅପ୍ରତ୍ୟାଶିତ ବୃଦ୍ଧି ତୃତୀୟ ଲହର ଆଗମର ସଙ୍କେତ ଦେଉଛି । ଏବେ ଦେଶରେ ସକ୍ରିୟ ମାମଲା ୪,୧୦,୩୫୩ ରହିଥିବା ବେଳେ ବିଗତ ୨୪ ଘଣ୍ଟାରେ ୩୬,୬୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ୍ ୩,୦୯,୩୩,୦୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୧.୨୯ ପ୍ରତିଶତ ରହିଛି । ବିଗତ ୨୪ ଘଣ୍ଟାରେ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୨୩,୬୭୬ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୦୦୫ ମାମଲା ଏବଂ ତାମିଲନାଡ଼ୁରେ ୧୯୦୮ ମାମଲା ଚିହ୍ନଟ ହୋଇଛି ।

Comments (0)
Add Comment