ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି । ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । କୋଭିଡ ନମୁନା ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି । ସେହିଭଳି ଦେଶରେ ଚାଲିଥିବା କୋଭିଡ ଟିକାକରଣ ଅଭିଯାନରେ ଗତକାଲି ସୁଦ୍ଧା ୩୪ କୋଟି ୭୬ ହଜାର ୨୩୨ ପାନ ଟିକା ଦିଆଯାଇସାରିଛି । ଦେଶରେ କରୋନା ସଂକ୍ରମଣରୁ ମୋଟ ୨,୯୫,୪୮,୩୦୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି । ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଏବଂ ଦୈନିକ କୋଭିଡ ସଂକ୍ରମଣ ହାର ୨.୪୮% ରହିଛି । କ୍ରମାଗତ ୨୫ ଦିନ ଧରି ଦୈନିକ ସଂକ୍ରମଣ ହାର ୫%ରୁ ତଳେ ରହୁଥିବା ଲକ୍ଷ୍ୟ କରାଯାଇଛି ।