ଦେଶର ୫୪ ଜିଲ୍ଲାରେ ସଂକ୍ରମଣ ହାର ୧୦% ଉପରେ

ଓଡ଼ିଶାର କୌଣସି ଜିଲ୍ଲା ନାହିଁ

ନୂଆଦିଲ୍ଲୀ: ଦେଶର ୧୨ଟି ରାଜ୍ୟର ୫୪ଟି ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ୧୦% ଉପରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, କେରଳ ଓ ମଣିପୁର ୧୦ଟି ଜିଲ୍ଲାରେ ସଂକ୍ରମଣ ୧୦% ଉପରେ ରହିଛି । ଗତ ସପ୍ତାହରେ ୪୬ଟି ଜିଲ୍ଲାରେ ୧୦% ଉପରେ ରହିଥିଲା ତେବେ ଏହି ଜିଲ୍ଲା ଗୁଡିକ ମଧ୍ୟରେ ଓଡ଼ିଶାର କୌଣସି ଜିଲ୍ଲାର ନାମ ନାହିଁ ।
ଅନ୍ୟପକ୍ଷରେ ଦେଶର ୨୭ଟି ଜିଲ୍ଲାରେ ଗତ ସପ୍ତାହରୁ ସଂକ୍ରମଣ ପୁଣି ବଢିବା ଆରମ୍ଭ କରିଛି । ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ପୁଣି ଥରେ ସଂକ୍ରମଣ ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି ବୋଲି ସେ କହିଛନ୍ତି । ଆମେରିକାରେ ଗତ ୧୪ ଦିନରେ ଦୈନିକ ସଂକ୍ରମଣ ସଂଖ୍ୟା ୧.୪ ଗୁଣ ବଢିଛି । ସେହିପରି ଫ୍ରାନ୍ସରେ ଦୈନିକ ସଂକ୍ରମଣ ସଂଖ୍ୟା ୩.୫ ଗୁଣ ବଢିଛି ଓ ଇଟାଲିରେ ୨.୭ ଗୁଣ ବଢିଛି । ଅଲିମ୍ପିକ୍ସ ଖେଳ ହେଉଥିବା ଜାପାନରେ ବି ସଂକ୍ରମଣ ବଢିଛି । ଏଣୁ ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ ।
ଅନ୍ୟପକ୍ଷରେ ଏବେ ମୌସୁମୀ ଋତୁ ଚାଲିଛି । ସାରା ଭାରତରେ ବର୍ଷା ଆରମ୍ଭ ହୋଇଯାଇଛି । ଏହି ଋତୁରେ ମ୍ୟାଲେରିଆ, ଡେଙ୍ଗୁ,ଚିକେନଗୁନିଆ ଆଦି ରୋଗ ବ୍ୟାପିଥାଏ । ଏପରି ସ୍ଥିତିରେ ରୋଗର ପ୍ରକୃତ କାରଣ ନିରୂପଣ କରିବା ଆହୁରି କଷ୍ଟକର ହୋଇପଡ଼େ । ଏଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ଅଗ୍ରୱାଲ କହିଛନ୍ତି ।
ସେହିପରି ଦେଶର ୨୭ଟି ଜିଲ୍ଲାରେ ଗତ ସପ୍ତାହରୁ ସଂକ୍ରମଣ ପୁଣି ବଢିବା ଆରମ୍ଭ କରିଛି, ଯାହାକି ଏକ ଚିନ୍ତାର କାରଣ । ଏଥିରୁ ଜଣାପଡ଼ୁଛି ଯେ ଭୁତାଣୁ ଶେଷ ହୋଇନାହିଁ ବୋଲି ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ।

Comments (0)
Add Comment