ଭୁବନେଶ୍ୱର: ଯେଉଁମାନେ ୨ୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି । ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଇସାରିଲେଣି । ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଲେଣି । ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍ ଟାଇମ ହୋଇଗଲାଣି ।୨ୟ ଡୋଜ୍ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି । ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍ ଡିଉ ହେଉଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଂଚଳରେ ଦିଆଯାଉଛି । କୋଭାକ୍ସିନ ଟିକା ୨ୟ ଡୋଜ୍ ଦେବାରେ ଏଯାଏ କିଛି ସମସ୍ୟା ନାହିଁ । ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ସରକାରୀ ହସ୍ପିଟାଲରୁ ୨ୟ ଡୋଜ୍ ନେଇପାରିବେ । ସରକାରୀ ହସ୍ପିଟାଲରୁ ମାଗଣାରେ ୨ୟ ଡୋଜ୍ ଟିକା ନେଇପାରିବେ । ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ୨ୟ ଡୋଜ୍ ମାଗଣାରେ ନେଇପାରିବେ ।ବିଏମସି ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲଡ ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି । ଆମେ ତୁରନ୍ତ ୧୫ ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ ।
ଟିକା ଉତ୍ପାଦନ, ନିୟନ୍ତ୍ରଣ କେନ୍ଦ୍ର ହାତରେ । ସିଏ ଯାହା ଦେବେ ଆମେ ଦେବୁ । ୧୮ରୁ ୪୪ ବର୍ଗର ଲୋକଙ୍କୁ ଏବେ କେବଳ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । କୋଭାକ୍ସିନ ଆସିଛି ଦିଆଯାଉଛି । କୋଭିସିଲ୍ଡ ଆସିନି । ଟିକା ପାଇଁ ଅର୍ଡର ଦିଆଯାଇଛି । ଟିକା ପହଂଚିଲେ ସେମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି ।