ଭୁବନେଶ୍ୱର: ବିଭିନ୍ନ ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଆଜି ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନଙ୍କ ହଟଗୋଳ ଯୋଗୁଁ ଦିନ ତମାମ୍ ଗୃହ ଅଚଳ ହୋଇପଡିଛି । ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକଦଳ ନେତା ଶ୍ରୀ ନରସିଂହମିଶ୍ର ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଏସମ୍ପର୍କରେ ମନ୍ତ୍ରୀଙ୍କ ବିବୃତି ଦାବି କରିବା ସଙ୍ଗେ ସଙ୍ଗେ ବାଚସ୍ପତିଙ୍କ ପୋଡିଏମ ତଳେ ଧାରଣା ଦେଇଥିଲେ । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ପଶି ଆସି ବିଭିନ୍ନ ଧ୍ୱନୀମାନ ଦେବା ସହ ଧାରଣା ଦେଇଥିଲେ । ସେହିପରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ନାରାବାଜୀ ଦେଇଥିଲେ । ପରିସ୍ଥିତି ଅଣାୟତ ହୋଇପଡିବାରୁ ବାଚସ୍ପତି ପ୍ରଥମେ ଗୃହକୁ ୧୦ମିନିଟ୍ ମୁଲତବୀ ରଖିଥିଲେ । ମାତ୍ର ପରିସ୍ଥିତିରେ କୌଣସି ସୁଧାର ନଆସିବାରୁ ଶେଷରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଫଳରେ ଆଜି ଶୂନ୍ୟକାଳ ଧୋଇହୋଇଯିବା ସହ ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇପାରିନଥିଲା ।
ମନ୍ତ୍ରୀଙ୍କ ବିବୃତି ଦାବିରେ ହଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ, ମନ୍ତ୍ରୀ ଅସୁସ୍ଥଥିବାରୁ ଆଜି ଗୃହକୁ ଆସିପାରିବେ ନାହିଁ । ଆସନ୍ତାକାଲି ସେ ବିବୃତୀ ଦେବେ ମାତ୍ର ଶ୍ରୀ ମିଶ୍ରଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ସଂସଦୀୟ ବ୍ୟାପାରମନ୍ତ୍ରୀଙ୍କ ଠାରୁ ଏନେଇ ବିବୃତି ଦାବି କରିଥିଲେ । ଫଳରେ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା ।