ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । କତାରରୁ ‘ମିଲାହା ରାସ୍ ଲାଫାନ’ ନାମକ ଜାହାଜ ସିଏନଜି ନେଇ ପ୍ରଥମଥର ପାଇଁ ଆଦାନି ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ ଗ୍ୟାସ ନେଇ ଧାମରାବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦର ପୂର୍ବ ଭାରତର ଏକମାତ୍ର ବନ୍ଦର ଯେଉଁଠି ଏଲଏନଜି ଗ୍ୟାସ୍ ଆମଦାନୀ ଟର୍ମିନାଲ କାର୍ଯ୍ୟ ସରିଛି । ଆଦାନୀ ଗ୍ରୁପ ଏବଂ ଫ୍ରେଞ୍ଚ କମ୍ପାନୀ ଟୋଟାଲ ଏନର୍ଜିଜ୍ ମିଳିତ ଭାବେ ୬ ହଜାର କୋଟି ଟଙ୍କା ବିନିମୟରେ ଏହି ଟର୍ମିନାଲ ନିର୍ମାଣ କରିଛନ୍ତି । ଏହି ଏଲଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ କମ୍ପେ୍ରସ୍ କରାଯାଇ ପ୍ରାକୃତିକ ଗ୍ୟାସ ଏବଂ ରୋଷେଇ ଗ୍ୟାସ ମଧ୍ୟ ତିଆରି କରାଯାଇପାରିବ । ଧାମରା ଆଦାନୀ ବନ୍ଦର ବାର୍ଷିକ ୫ ନିୟୁତ ଟନ୍ ଗ୍ୟାସ ଏହି ଟର୍ମିନାଲ ଦେଇ ଆମଦାନୀ କରିବା ସହ ପୂର୍ବ ଭାରତକୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି । ଏହି ଗ୍ୟାସକୁ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍ କ୍ଷମତାକୁ ବୃଦ୍ଧି କରାଯିବ । ଆସିଥିବା ଜାହାଜରେ ୧୩୫ ହଜାର ଘନ ମିଟର ଗ୍ୟାସ କଲିକତାରେ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ ତାରିଖରେ ପହଞ୍ଚିଥିଲା । ଭାରତ ସରକାରଙ୍କ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ ବୁକ୍ କରିଥିଲେ । ଏହି ଗ୍ୟାସ ପହଞ୍ଚିବା ପରେ ଉକ୍ତ ୨ କମ୍ପାନୀ ଏହାକୁ ବିଶୋଧନ କରି ପୁନଃ ଗ୍ୟାସ ପାଇପ୍ଲାଇନ ଯୋଗେ ଇସ୍ପାତ ଏବଂ ସାର କରାଖାନାକୁ ଯୋଗାଇବେ । ଧାମରା ବନ୍ଦରରେ ୨ଟି ଗ୍ୟାସ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ ଏହାର କ୍ଷମତା ୩୬୦ ହଜାର ଘନ ମିଟର ଊର୍ଜା ଗଙ୍ଗା ପାଇପଲାଇନ ଦ୍ୱାରା ପୂର୍ବ ଭାରତର ୩୫ ପ୍ରତିଶତ ଜନସଂଖ୍ୟାକୁ ରୋଷେଇ ଗ୍ୟାସ ଯୋଗାଇ ଦିଆଯିବା ସହ ବିଶୋଧନାଗାର ସାର କାରଖାନା, ଶିଳ୍ପ ସଂସ୍ଥାକୁ ମଧ୍ୟ ଏହି ଗ୍ୟାସ ପାଇପ ଲାଇନ ଯୋଗେ ଯୋଗାଇଦିଆଯିବ ।