ନଭେମ୍ବର ଯାଏଁ ମାଗଣା ରାସନ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ୮୦କୋଟି ଗରିବ ଲୋକଙ୍କୁ ମାସିକ ୫କେ.ଜି ଗହମ କିମ୍ବା ଚାଉଳ ମାଗଣା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଦେଶବାସୀଙ୍କ ଉଦେଶ୍ୟରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ନଯୋଜନାରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ୮୦କୋଟି ଲୋକଙ୍କୁ ମୁଣ୍ଡ ପିଛା ମାସିକ ୫କେ.ଜି ଚାଉଲ କିମ୍ବା ଗହମ ଏବଂ ପରିବାର ପିଛା ଏକ କିଲୋ ଚଣା ମାଗଣାରେ ଯୋଗାଇ ଦିଆଯିବ । ଏ ବାବଦରେ ୯୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ କେନ୍ଦ୍ର ସରକାର ୩ମାସ ପାଇଁ ଏହି ଯୋଜନାରେ ୮୦କୋଟିଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଇଥିଲେ । ଏହି ଯୋଜାରେ ମୋଟ ଦେଢ ଲକ୍ଷ କୋଟିଟଙ୍କା ବେୟ ହେବ ବୋଲି ସେ କହିଛନ୍ତି । ଦେଶରେ ଏକ ରାଷ୍ଟ୍ର- ଏକ ରାସନ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି । ସେହିପରି ଗତ ୩ମାସରେ ୨୦କୋଟି ଗରିବ ପରିବାର ତଥା ଜନଧନ ଆକାଉଂଟରେ ୩୧କୋଟି ଟଙ୍କା ଜମା କରାଯାଇଥିଲା ବେଳେ ୯କୋଟି କୃଷକଙ୍କ ଆକାଉଂଟରେ ୧୮ ହଜାର କୋଟି ଟଙ୍କା ଜମା କରାଯାଇଛି ।
ଦେଶରେ ଅନଲକ-୨କାର୍ଯ୍ୟକାରୀ ହେବାର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦେଶ୍ୟରେ ଦିର୍ଘ ୧୬ ମିନିଟ ଧରି ଉଦବୋଧନ ଦେବା ଅବସରରେ ପ୍ରାଣଘାତ କରୋନା ପ୍ରତି ସତର୍କତା ଅବଲମ୍ବନ କ୍ଷେତ୍ରରେ କେତେକ ଅବହେଳା ପ୍ରର୍ଦଶନ କରୁଥିବା ନେଇ ସେ ଗଭିର ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ସହ ଲଢେଇ କରି କରି ଆମେ ଅନଲକ୍-୨ରେ ପ୍ରବେଶ କଲୁଣି । ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଅନଲକ୍-୨ ଆରମ୍ଭ ହେବ । ଅନଲକ-୨ ସହ ଆମ ପାଖରୁ ମୌସୁମୀ ବି ଆସି ପହଂଚି ଗଲାଣି । ଏଭଳି ସମୟରେ ପୂର୍ବାପେକ୍ଷା ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଲକଡାଉନ ପାଇଁ ଅନେକ ଜୀବନ ରକ୍ଷା କରାଯାଇପାରିଛି । ସାରା ବିଶ୍ୱ ତୁଳନାରେ ଭାରତରେ କରୋନା ମୃତ୍ୟୁହାର ସବୁଠାରୁ କମ । ତେବେ ଅନଲକ-୧ ପରଠାରୁ ଅନେକ ଲୋକ ଅବହେଳା କରୁଥିବା ଦେଖିବାକୁ ମିଳୁଛି । ଲକଡାଉନ ଆରମ୍ଭରୁ ଆମେ ଅଧିକ ଯତ୍ନବାନ ଥିଲେ । ହେଲେ ସତର୍କ ରହିବା ସମୟରେ ଆମେ ଅଧିକ ଅବହେଳା କରୁଛେ । ଏହା ଆଦୌ ଠିକ୍ ନୁହେଁ । ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ବିଶେଷ କରି କଂଟେନମେଂଟ ଜୋନରେ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପଡିବ । ଯେଉଁମାନେ ନିୟମ ମାନୁନଥିବେ ସେମାନଙ୍କୁ ରୋକିବା ଓ ଧରିବା ଜରୁରୀ । ଗାଁ ମୁଖିଆଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ବି ନିୟମରୁ ଋଦ୍ଧ୍ୱର୍ରେ ନୁହନ୍ତି । ନିୟମ ସମସ୍ତଙ୍କ ପାଇଁ ସମାନ । ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନ କରାନ୍ତୁ । ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ନିଜକୁ ନିଜେ ସୂରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି । ସରକାର, ନାଗରିକଙ୍କୁ ପୂର୍ବଭଳି ସତର୍କତା ଦେଖାଇବା ଜରୁରୀ । ଏହା ୧୩୦କୋଟି ଲୋକଙ୍କ ଜୀବନର କଥା । ତେଣୁ ଆମେ ଟିକେ ବି ଅସତର୍କ ହେବାନି ବୋଲି ମୋଦି ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଏହା ହେଉଛି ଦେଶବାସୀଙ୍କ ଉଦେଶ୍ୟରେ ଷଷ୍ଠ ସମ୍ବୋଧନା ।

Comments (0)
Add Comment