ନୂଆଦିଲ୍ଲୀ : ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏ ନେଇ ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୯ ତାରିଖରେ ଉପ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ ତାରିଖକୁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୧୭ରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ ଏବଂ ୧୯ ତାରିଖକୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩ରେ ମତଦାନ ଓ ୧୦ରେ ଭୋଟ ଗଣତି ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସ ଓ ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉଭୟ ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।