“ନିମନ୍ତ୍ରଣ” ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ; ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ -ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର : ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ । ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର ପାଳିତ ହୋଇଥିବା ବେଳେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସୁସ୍ୱାଦୁ ଖାଦ୍ୟ ରେଷ୍ଟୁରାଣ୍ଟ “ନିମନ୍ତ୍ରଣ” ପକ୍ଷରୁ ଆଜି ‘ପଖାଳ ଦିବସ’ ଭୁବନେଶ୍ଵର ଓଡିଟିସି ପାନ୍ଥନିବାସ ସ୍ଥିତ ‘କଳିଙ୍ଗ’ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ,ପଖାଳ ବିଭିନ୍ନ ଭାବରେ ଖିଆଯାଇଥାଏ । ଓଡିଶାର ‘ପଖାଳ’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କ ରହିଛି । ଏଣୁ ପଖାଳକୁ ଆମେ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବୋଲି ମନେକରୁ । ‘ପଖାଳ’ ଖାଦ୍ୟ କେଉଁ ଆବହମାନ କାଳରୁ ରହିଆସିଛି । ପଖାଳ ଖାଇ ଆମେ ଦିନସାରା ନିଜ ପାଇଁ ଶକ୍ତି ସଂଚୟ କରୁ । ବିଶ୍ୱ ପଖାଳ ଦିବସ ପାଳନ କରି ଆନ୍ତର୍ଜାତିକ ସ୍ତରରେ ଓଡିଶା ‘ପଖାଳ’ର ପ୍ରଚାର ପ୍ରସାର ଏବଂ ଲୋକପ୍ରିୟତା ବୃଦ୍ଧି ପାଇଁ ଓଟିଡିସିର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷ ଡଃ.ଲେନିନ୍ ମହାନ୍ତି ଯୋଗଦେଇ‘ପଖାଳ’ର ଉପକାରିତା ଏବଂ ପୁଷ୍ଟିକାରିତା ସମ୍ପର୍କରେ ସେ ଆଲୋକପାତ କରିଲେ ଯେ, ପଖାଳ ହେଉଛି ଆମ ଐତିହ୍ୟର ପରିଚୟ । ଗରୀବ, ମଜଦୁରଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଏବଂ ଧନୀଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଇଥା’ନ୍ତି । ବିଶ୍ୱ ପଖାଳ ଦିବସ ଅବସରରେ ଓଟିଡିସି ତରଫରୁ ନିଆରା ପ୍ରୟାସ କରାଯାଇ ସାମୁହିକ ଭାବେ ଏକତ୍ରିତ ହୋଇ ଶହ ଶହ ସଂଖ୍ୟାରେ ସମସ୍ତେ ପଖାଳ ଖାଇବାର ଆୟୋଜନ, ଆମ ଐତିହ୍ୟ ଓ ପରଂପରାର ସୁରକ୍ଷା ଦିଗରେ ଅନନ୍ୟ ପ୍ରୟାସ ବୋଲି ଡଃ ମହାନ୍ତି ମତବ୍ୟକ୍ତ କରିଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ, ପଖାଳ ଏବେ କେବଳ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ,ବରଂ ସମସ୍ତଙ୍କର ପ୍ରିୟ ଖାଦ୍ୟ ଭାବେ ବିଶ୍ୱସ୍ତରରେ ଆଦୃତି ଲାଭ କରିଛି ।

Comments (0)
Add Comment