ଲୁଧିଆନା : ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍ ହେବାରୁ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୫ ଜଣ ମହିଳା ଅଛନ୍ତି । ପ୍ରଭାବିତ ଅଞ୍ଚଳକୁ କର୍ଡନ୍ କରାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣାସ୍ଥଳକୁ ଡାକ୍ତର, ଆମ୍ବୁଲାନ୍ସ୍ ଏବଂ ଦମକଳ ମଧ୍ୟ ପଠାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଏନ୍ଡିଆରଏଫ୍ ଓ ଅଗ୍ନିଶମବାହିନୀକୁ ନିୟୋଜିତ କରାଯାଇଛି । ଗଣମାଧ୍ୟମକୁ ଲୁଧିଆନାର ସବ୍ ଡିଭିଜିନାଲ୍ ମାଜିଷ୍ଟେ୍ରଟ୍ ସ୍ୱାତୀ ତିୱାନା କହିଛନ୍ତି, ନିଶ୍ଚୟ ଏହା ଗୋଟାଏ ଗ୍ୟାସ୍ ଲିକ୍ ଘଟଣା । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସମ୍ପ୍ରତି ଘଟଣାସ୍ଥଳରେ ପହଞ୍ଚି ଜନ ସ୍ଥାନାନ୍ତରଣ କରିବା ସହିତ ଉଦ୍ଧାର ଅଭିଯାନ ଚଳାଇଛି । ଏହି ଘଟଣାରେ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । କି ପ୍ରକାରର ଗ୍ୟାସ୍ ଓ ତାହା କେଉଁଠୁ ଲିକ୍ ହୋଇଛି ସେ କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ‘ଏନ୍ଡିଆର୍ଏଫ୍’ ଟିମ୍ ତାହା ତଦନ୍ତ କରିବ । ସେ ଜନାକୀର୍ଣ୍ଣ ଅଞ୍ଚଳରୁ ଜନ ସ୍ଥାନାନ୍ତରଣ ହେଉଛି ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯାଉଛି ଏବଂ ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ଅବିଳମ୍ବେ ପ୍ରଦନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି, ଗିଆସପୁରା ଅଞ୍ଚଳରେ ଗୋଟାଏ କାରଖାନାରୁ ବାଷ୍ପ ଲିକ୍ ହେବା ଘଟଣା ଖୁବ୍ ଦୁଃଖଦାୟକ । ପୁଲିସ, ସରକାର ଓ ‘ଏନ୍ଡିଆର୍ଏଫ୍’ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି । ବାକି ବିଶଦ ବିବରଣୀ ଅବିଳମ୍ବେ ପ୍ରଦାନ କରାଯିବ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗ୍ୟାସ ଲିକ୍ ଯୋଗୁ ଏହି ଘଟଣା ଘଟିଛି । ତେବେ କେଉଁ ଗ୍ୟାସ୍ ଲିକ୍ ହୋଇଛି, ତାହା ଜଣାପଡ଼ି ନାହିଁ ।