ଭୁବନେଶ୍ୱର : ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ । ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି । ସାନ୍ତାଳି ସମାଜ ପାଇଁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁବେଳେ ପୂଜନୀୟ କରି ରଖିଛି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି । ସାନ୍ତାଳି ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ୨ ଓ ୩ ଦୁଇ ଦିନ ଧରି ମୟୁରଭଂଜ ଗସ୍ତରେ ଯାଇଥିବା ବେଳେ ଦାଣ୍ଡବୋସ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପରିଦର୍ଶନ କରିଥିଲେ ଏବଂ ବାରିପଦାସ୍ଥିତ ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ମଧ୍ୟ ଯାଇଥିଲେ । ତାଙ୍କ ସ୍ମୃତି ପୀଠର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ ସାନ୍ତାଳି ଭାଇଭଉଣୀଙ୍କ ସହ ଆଲୋଚନା ବେଳେ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ । ତଦନୁଯାୟୀ ସେଥିପାଇଁ ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ତଦନୁଯାୟୀ ଦାଣ୍ଡବୋସ-କାପିବୁରୁ ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସମାଧୀ ପୀଠର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଆଉ ୭୫ ଲକ୍ଷ ଟଙ୍କା ଖର୍ଚ୍ଚରେ ସେଠାରେ ଧ୍ୟାନକେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଏତଦ୍ବ୍ୟତୀତ କାପିବୁରୁର ପାଚେରୀ ଓ ସଂଯୋଗ ରାସ୍ତାର ବିକାଶ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ଥିବାବେଳେ, ସେଠାରେ ଏକ ଅଡିଟୋରିମ ଓ ଗବେଷଣା କେନ୍ଦ୍ର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । କାପିବୁରୁର ସୌନ୍ଦର୍ଯ୍ୟକରଣ ଓ ସ୍ୱାଗତତୋରଣ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଦାଣ୍ଡବୋସ, ବିଦୁ ଚାନ୍ଦାନ ବାହାଗାଳର ବିକାଶ ତଥା ମାରାଙ୍ଗ-ଆହାରା ପୁଷ୍କରିଣୀ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏତଦ୍ବ୍ୟତୀତ ପାନୀୟ ଜଳ, ବିଦ୍ୟୁତକରଣ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍ଥିର କରାଯାଇଛି । ୫-ଟି ଉପକ୍ରମରେ ଏ ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ସଂପାଦନ କରାଯିବ । ଖୁବଶୀଘ୍ର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ।