ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦର ଦେଶରେ ଏକନମ୍ବର

ଭୁବନେଶ୍ୱର : ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଦେଶର ସବୁ ବନ୍ଦରକୁ ପଛରେ ପକାଇ ଦେଇଛି ବୋଲି ପାରାଦୀପ ପୋର୍ଟଟ୍ରଷ୍ଟର ଅଧ୍ୟକ୍ଷ ପିଏଲ୍ ହରନାଦ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରନାଦ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିର୍କ ବର୍ଷରେ ପାରାଦୀପ ବନ୍ଦର ୧୧୬.୧୩ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ ପରିଚାଳନା କରିଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୧୩୫.୩୬ ନିୟୁତ ମେଟ୍ରିକ୍ ଟନକୁ ବୃଦ୍ଧି ପାଇଛି । ଯାହାକି ୧୯.୨ ନିୟୁତ ମେଟ୍ରିକ୍ ଟନ୍ (୧୬.୫୬%) ଅଭିବୃଦ୍ଧି ସହ ଗୋଟିଏ ଆର୍ଥିକ ବର୍ଷରେ ଏହା ବନ୍ଦରର ସର୍ବକାଳୀନ ରେକର୍ଡ ବୋଲି ସେ କହିଛନ୍ତି । କୋଇଲା ପରିଚାଳନାରେ ୫୦% ବୃଦ୍ଧି ପାଇ ୧ନିୟୁତ ଟନ୍ ହୋଇଛି । ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ଲୁହାପଥର ପରିଚାଳନା ୮ମାସ ପାଇଁ ପ୍ରଭାବିତ ହୋଇଥିଲା ବୋଲି ସେ କହିଛନ୍ତି । ଶ୍ରୀ ହରନାଦ କହିଛନ୍ତି ଯେ, ପାରାଦୀପ ବନ୍ଦର ସମଗ୍ର ବିଶ୍ୱରେ ସବୁଠୁ କମ୍ ଦାମରେ ପଣ୍ୟ ପରିଚାଳନା କରୁଛି । ଟନ୍ ପିଛା ୧୩ଟଙ୍କା ଭଳି ଦାମରେ ସେବା ଯୋଗାଇ ଦେଉଛି । ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ବର୍ଷ ପାଇଁ ବନ୍ଦର କର୍ତୃପକ୍ଷ ପଣ୍ୟ ପରିଚାଳନା ଚାର୍ଜରେ କୌଣସି ପରିବର୍ତନ କରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ବର୍ତମାନ ପାରାଦୀପ ବନ୍ଦରର ପଣ୍ୟ ପରିଚାଳନା କ୍ଷମତା ୨୮୯ ମେଟ୍ରିକ୍ ଟନ୍ ରହିଛି । ଏଠାରେ ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଗାମୀ ୩ବର୍ଷରେ ବନ୍ଦରର କ୍ଷମତା ୩୦୦ ନିୟୁତ ମେଟ୍ରିକ୍ ଟନକୁ ଅତିକ୍ରମ କରିବ । ଏହି ପ୍ରକଳ୍ପ ବନ୍ଦରରେ ଆଉ ୨୫ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ଯୋଡିବ । ପିପିପିରେ ଏହାର ନିର୍ମାଣ ଲାଗି ଜେଏସ୍ପିଏଲ୍କୁ ଦାୟିତ୍ୱ ଦିଆଯାଇଛି । ବନ୍ଦରରେ ୨୦୨୬ ସୁଦ୍ଧା କେପ ଭେସେଲ ପରିଚାଳନା ପାଇଁ ଏହି ପ୍ରକଳ୍ପ ସୁନିଶ୍ଚିତ କରିବ । ସେହିପରି ବନ୍ଦରର ବର୍ଥ କ୍ଷମତା ୩୧,୦୫୦ ମେଟ୍ରିକ୍ ଟନକୁ ବୃଦ୍ଧି ହୋଇଛି । ଯାହା ୨୦୨୧-୨୨ରେ ୨୭,୨୯୫ ମେଟ୍ରିକ୍ ଟନ୍ ଥିଲା । ୨୦୨୨-୨୩ରେ ବନ୍ଦର ୨୩୯୪ ଜାହାଜ ପରିଚାଳନା କରିଛି । ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୬%ଅଧିକ । ବନ୍ଦରର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ କରିବା ପାଇଁ ୧୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଦୁଇଟି ଫ୍ଲାଏଓଭର ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । ସେହିପରି ବନ୍ଦର ଭିତିକ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପାଇଁ ୭୬୯ଏକର ଜମି ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆବଂଟନ କରାଯାଇଛି । ଏହା ୮୭୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ବନ୍ଦରକୁ ୫୦ ନିୟୁତ ମେଟ୍ରିକ୍ ଟନ୍ର ଟ୍ରାଫିକ୍ ଆକର୍ଷିତ କରିବ ।

ସେ ଆହୁରି କହିଛନ୍ତି ଯେ, ଆସନ୍ତା ୨୦୨୫ସୁଦ୍ଧା ୧୦ଲକ୍ଷ ଚାରାରୋପଣ ଯୋଜନା ରହିଛି । ଗତବର୍ଷ ୨ଲକ୍ଷ ଚାରା ରୋପଣ କରାଯାଇଥିଲା । ୧୦ ମେଗାୱାଟର ସୌରଶକ୍ତି ପ୍ଲାଂଟ ବିକଶିତ କରିବା ପାଇଁ ବନ୍ଦର ପକ୍ଷରୁ ଯୋଜନା ରହିଛି । ଯାହା ସମ୍ପୂର୍ଣ୍ଣ ଅକ୍ଷୟ ଶକ୍ତିରୁ ଆସିବ । ବନ୍ଦରରେ ଏଲ୍ଏନ୍ଜି ଓ ସିଏନ୍ଜି ଡିପୋ ପ୍ରତିଷ୍ଠା କରି ଗ୍ରୀନ୍ ରିଫୁଏଲିଂ ଷ୍ଟେସନ ପାଇଁ ଯୋଜନା କରାଯାଉଛି । ବନ୍ଦରର ପରିଚାଳନାରେ ସହଯୋଗ ପାଇଁ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୋର୍ଟର ବରିଷ୍ଠ ଅଧିକାରୀ ଡିଏନ୍ ସୋନ୍ଧି, ଜି ଏଡିସନ, ଏକେ ବୋଷ, ପିଏନ୍ ଭାଏକର ଏବଂ କ୍ୟାପଟେନ ଏସି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment