ନୟାଗଡ଼ର ପରୀ ହତ୍ୟା ମାମଲାରେ ଗତ କାଲି ଓ ଆଜି ବିଧାନସଭାରେ ହୋ ହାଲ୍ଲା ଜାରି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ମନ୍ତବ୍ୟ ସବୁ ଓଡ଼ିଆମାନଙ୍କ ମନରେ ଉଦବେଗ ସୃଷ୍ଟି କରିଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ ଗତ ୪ ମାସ ହେବ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ କଣ କରୁଥିଲେ। ସେ କହିଛନ୍ତି ଯେ ପରୀ ହତ୍ୟା ଘଟଣାରୁ ଏହା ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ମହିଳା ଓ ଶିଶୁମାନେ ସୁରକ୍ଷିତ ନାହାନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ଏହି ଘଟଣାର ତଦନ୍ତ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ପ୍ରତି ଦୃଢ ଦଣ୍ଡବିଧାନ କରାଯିବ ଆବଶ୍ୟକ। ଯଦି ଦଣ୍ଡବିଧାନ କରାନଯିବ, ସମାଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ରହିବ ନାହିଁ।