ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ

ନୂଆଦିଲ୍ଲୀ: ୧୦ ଦିନର ବ୍ୟବଧାନ ପରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି। ବିଏସଏଫ ଯବାନମାନେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଭାରତ-ପାକ୍‌ ସୀମାରୁ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଗୁପ୍ତ ସୁଡ଼ଙ୍ଗଟିର ଲମ୍ବ ୧୫୦ ମିଟର ଓ ୩୦ ଫୁଟ ଗଭୀର। ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ପାକିସ୍ତାନରେ ଥିବା ବେଳେ ଆଉ ଗୋଟିଏ ଭାରତରେ ରହିଛି। ଏହାର ଓସାର ପ୍ରାୟ ୩ ମିଟର ରହିଛି। ହୀରାନଗର ସେକ୍ଟରର ପାନସର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ସୁଡ଼ଙ୍ଗଟି ଠାବ ହୋଇଛି। ସୁଡ଼ଙ୍ଗ ଠାବ ହେବା ପରେ ପୂରା ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ୨୦୨୦ ଜୁନ୍‌ ମାସରେ ପାକିସ୍ତାନୀ ହେକ୍ସାକପ୍ଟରକୁ ଭାରତୀୟ ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ଗୁଳି କରି ଖସାଇ ଦେଇଥିଲେ। ଏହି ହେକ୍ସାକପ୍ଟରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ରହିଥିଲା। ୨୦୧୯ରେ ମଧ୍ୟ ଏହି ଅଞ୍ଚଳରେ ପାକିସ୍ତାନ ସୀମାରୁ ଅନୁପ୍ରେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଥିଲେ।

Comments (0)
Add Comment