ପାରାଦ୍ୱୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍‌’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଥିବା ବେଳେ ଅତିଭୀଷଣ ରୂପନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଓଡିଶାର ପାରଦ୍ୱୀପ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଆଇଏମ୍‌ଡିର ମହାନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଭୂ-ଭାଗ ସ୍ପର୍ଷ କରିବା ବେଳେ ପ୍ରବଳ ବର୍ଷା ସହ ପବନର ବେଗ ଘଂଟାପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ସେ ଆକଳନ କରିଛନ୍ତି । ସେହିପରି ପବନର ବେଗ ମଧ୍ୟ ୧୮୫ କିଲୋମିଟର ମଧ୍ୟ ଛୁଇଁବା ସମ୍ଭାବନା ରହିଛି ।
ସେ ଆହୁରି କହିଛନ୍ତିି ଯେ, ଲଘୁଚାପ କ୍ଷେତ୍ର ୱେଲ୍ ମାକ୍ ଲୋ ପ୍ରେସ୍‌ରରେ ପରିଣତ ହୋଇଥିବାରୁ ଆସନ୍ତା କାଲି ସୋମବାର ଦିନ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହା କ୍ରମଶଃ ଘନିଭୂତ ହୋଇ ଉତର-ପଶ୍ଚିମ ଦିଗରେ ଅଗ୍ରସର ହେବ । ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ସେହିପରି ୨୫ ତାରିଖ ସନ୍ଧ୍ୟାରୁ ପବନର ବେଗ ବଢିବା ସହ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ପବନର ବେଗ ୫୫ରୁ ୬୫ କି.ମି ରହିବା ସମ୍ଭାବନା ରହିଛି । ସେହିପରି ଏହାର ପ୍ରଭାବରେ ଉପକୂଳବର୍ତୀ ଅଞ୍ଚଳ ସହ ଉତର ଓଡିଶାରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ତେବେ ୨୬ ତାରିଖ ସକାଳୁ ଉପକୂଳବର୍ତୀ ଜିଲ୍ଳା ଗୁଡିକ ସହ ଉତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଘଂଟା ପ୍ରତି ୧୦୦ରୁ ୧୨୦ କି.ମି ରହିପାରେ । ତେବେ କେତେକ ସ୍ଥାନରେ ୨୦ ସେଂଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ଏହାର ପ୍ରଭାବରେ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ବାତ୍ୟା ସମୁଦ୍ର ପଥରେ ଓଡିଶା ଉପକୂଳ ଗତି କରିବା ସମୟରେ ବାଲେଶ୍ୱର, କନ୍ଦ୍ରପଡା, ଭଦ୍ରକ ଓ ମୟୁରଭଂଜରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।
ଲଘୁଚାପ ଏବେ ପାରାଦ୍ୱୀପ ଠାରୁ ୫୯୦ ଓ ବାଲେଶ୍ୱରରୁ ୭୦୦ କି.ମି ଦୂରରେ ରହିଥିବା ବେଳେ ଏହା ଉତର-ଉତର, ପଶ୍ଚିମ ଦିଗମୁହାଁ ହୋଇଛି । ସେ ଆହୁରି କହିଛନ୍ତି ଯେ, ସାମ୍ଭାବ୍ୟ ସାମୁଦ୍ରିକ ୟାସ୍‌୍‌ର ଲ୍ୟାଣ୍ଡ ଫଲ୍ କରିବା ପୂର୍ବରୁ ୬ଘଂଟା ଓ ପରେ ୬ଘଂଟା ପ୍ରଭାବ ରହିବ । ସେହିଦିନ ମଧ୍ୟରାତ୍ର ପର୍ଯ୍ୟନ୍ତ ପବନର ପ୍ରକୋପ ମଧ୍ୟ ଜାରୀ ରହିବ । ପବନର ବେଗ ଦୃଷ୍ଟିରୁ ବଡ ବଡ ଗଛ ଉପୁଡି ପଡିବା ସହ ଟିଣ ଆଜ୍‌ବେଷ୍ଟ ଓ କଚା ଘର ଭାଙ୍ଗିବା ଆଶଙ୍କା ରହିଛି । ସେହିପରି ବିଦ୍ୟୁତ୍ ଓ ଟେଲିଫୋନ ଖୁଂଟ ମଧ୍ୟ ଉପୁଡିପାରେ ।

Comments (0)
Add Comment